ଭୁବନେଶ୍ବର: ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଜଗତ୍‌ସିଂହପୁର ଜିଲ୍ଲାର ପାରାଦୀପରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବ। ସମୁଦ୍ର ଭିତରେ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟା ରୂପରେ ଉପକୂଳକୁ ସ୍ପର୍ଶ କରିବ। ଓଡ଼ିଶା ଭିତରକୁ ପ୍ର‌ବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିଥିବ। ବେଳେବେଳେ ୧୨୦ କିମି ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରକୋପ କମିବ ସତ। ମାତ୍ର ଅଧା ଓଡ଼ିଶା ଏହାଦ୍ବାରା ପ୍ରଭାବିତ ହେବ। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ, ଯାଜପୁର ଜିଲ୍ଲା ଉପରେ ସିଧାସଳଖ ପ୍ରଭାବ ପଡ଼ିବାକୁ ଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକୁ ବର୍ଷା ପବନ ମୋଡ଼ିମକଚି ଦେବ।

Advertisment

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ପାଣିପାଗ ବି‌ଜ୍ଞାନୀମାନେ ଏଭଳି ଆକଳନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମଧ୍ୟ ସମାନ ଢଙ୍ଗରେ କହିଛି ଯେ ଗତକାଲିର ଘୂର୍ଣ୍ଣବଳୟ ପ୍ରଭାବରେ ଆଜି ଭୋର ସମୟରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବାହ୍ନ ୧୧ଟା ୩୦ ବେଳକୁ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗ‌ରେ ଗତି କରୁଛି। ୨୨ ତାରିଖ ତଥା ମଙ୍ଗଳବାର ସକାଳୁ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ। ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ସ୍ପର୍ଶ କରିବ। ସମ୍ଭବତଃ ପୁରୀଠାରୁ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଧ୍ୟରେ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବ। ଉପକୂଳରେ ପହଞ୍ଚିଲା ବେଳକୁ ପବନର ବେଗ ୧୦୦ରୁ ୧୨୦ କିମି ରହିଥିବ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୪ ଓ ୨୫ ତାରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ହେବ। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ ଓ ଯାଜପୁରରେ ୧୦୦ରୁ ୧୨୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପବନର ବେଗ ୬୦ରୁ ୧୦୦ କିମି ଏବଂ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବୌଦ୍ଧ, ନୟାଗଡ଼, ଗଞ୍ଜାମ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ।

ବେଳେବେଳେ ୭୦ କିମି ଛୁଇଁପାରେ। ଏହି ସମୟରେ ବର୍ଷା ପରିମାଣ ମଧ୍ୟ ବଢ଼ିବ। ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖ ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସାଢ଼େ ୮ଟା ମଧ୍ୟରେ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲାରେ ଅତିପ୍ରବଳ ବର୍ଷା ଅର୍ଥାତ୍‌ ୨୦ ସେମିରୁ ଅଧିକ ହୋଇପାରେ। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍‌ ୭ରୁ ୨୦ ସେମି ବର୍ଷା ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ସ୍ଥାନରେ ୨୦ ସେମିରୁ ଅଧିକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହୋଇପାରେ। ବର୍ଷାକୁ ଦୃଷ୍ଟିରେ ରଖି ୨୪ ତାରିଖରେ ୮ ଓ ୨୫ ତାରିଖରେ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି।

୨୪ ତାରିଖ ରାତି, ନ ହେଲେ 
୨୫ ତାରିଖ ଭୋରରେ ମାଡ଼ ହେବ

୬ ଜିଲ୍ଲାକୁ ରେଡ୍‌ ଆଲର୍ଟ, ପାରାଦୀପରୁ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ

ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସମୁଦ୍ରର ତାପମାତ୍ରା ଉର୍ଦ୍ଧ୍ବଗାମୀ ବାୟୁର ଗତି ଓ ଅନ୍ୟାନ୍ୟ ବାୟୁମଣ୍ଡଳୀୟ ଉପାଦାନ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳକୁ ମୁହାଁଇବ। ତେବେ ୨୪ ତାରିଖରେ ଉପର ବାୟୁମଣ୍ଡଳରେ ବାୟୁର ଦିଗ ଓ ଚାପର ପ୍ରଭେଦ, ଅନ୍ୟାନ୍ୟ ଉପାଦାନ ଅନୁଯାୟୀ ବାତ୍ୟାର ଦୁଇଟି ଗତିପଥରେ ଯାଇପାରେ। ପ୍ରଥମଟି ଚାନ୍ଦବାଲିଠାରୁ ଦୀଘା ମଧ୍ୟରେ ଯଦି ଲ୍ୟାଣ୍ଡଫଲ୍‌ କରିବ, ତାହା ହେଲେ ପୁରୀଠାରୁ ଉତ୍ତରରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୩ ତାରିଖ ରାତିରୁ ପ୍ରଭାବ ଅନୁଭୂତ ହେବ। ଦ୍ବିତୀୟ ଗତିପଥରେ ଗଲେ ପଶ୍ଚିମବଙ୍ଗର ସାଗର ଦ୍ବୀପରେ ପହଞ୍ଚିବ ଏବଂ ଓଡ଼ିଶା ବର୍ଷା ପବନରୁ ବର୍ତ୍ତିଯିବ।

ବର୍ତ୍ତମାନର ମଡେଲ୍‌ କହୁଛି କେନ୍ଦ୍ରାପଡ଼ା ଓ ଏହାର ଦକ୍ଷିଣରେ ଥିବା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା କମ୍‌। ‌ତେବେ କେନ୍ଦ୍ରୀୟ ଓ ଉତ୍ତର ଉପକୂଳ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଜି ରାତିରେ ଆଣ୍ଡାମାନ ସମୁଦ୍ରରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୫୫ କିମି ରହିଛି। ୨୨ ତାରିଖ ସନ୍ଧ୍ୟା ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୫୫ରୁ ୭୫ କିମି, ୨୩ ତାରିଖ ସନ୍ଧ୍ୟାଠାରୁ ୨୪ ତାରିଖ ସକାଳ ମଧ୍ୟରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୧୦୦ କିମି ମଧ୍ୟରେ ରହିବ। ‌ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି। ବନ୍ଦର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ସହ ପର୍ଯ୍ୟଟନ କାର୍ଯ୍ୟକଳାପ କମାଇବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ପବନ ଯୋଗୁଁ ରାସ୍ତାରେ ଜଳବନ୍ଦୀ, ତଳିଆ ଅଞ୍ଚଳରେ ପାଣି ଜମିବା, ସହରାଞ୍ଚଳରେ ପାଣି ସମସ୍ୟା ସୃଷ୍ଟି ହୋଇପାରେ। ତେବେ ୨୪ ଓ ୨୫ ତାରିଖରେ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷିବ। ଉପକୂଳରେ ଅଧିକ ବର୍ଷା ହେବାକୁ ଥିବାବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରଭାବ ରହିବ। ସହରରେ ଟ୍ରାଫିକ୍‌ ସମସ୍ୟା, କଚା ରାସ୍ତା ଓ ବିପଦସଙ୍କୁଳ କୋଠା ପ୍ରଭାବିତ, ମାଟି ଅତଡ଼ା ଖସିବା ପରି ସମସ୍ୟା ଉପୁଜିପାରେ। ପବନ ହେବାକୁ ଥିବାରୁ ଉଦ୍ୟାନ ଓ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ପରାମର୍ଶ ମଧ୍ୟ ଦିଆଯାଇଛି। ରେଳ ଓ ସଡ଼କ ପରିବହନକୁ ନିୟନ୍ତ୍ରଣ କରିବା, ଘରୁ ବାହାରିବା ପୂର୍ବରୁ ପାଣିପାଗ ସ୍ଥିତି ଦେଖିବା ସହ ଟ୍ରାଫିକ୍‌ ଯାଞ୍ଚ, ଯଦି କୌଣସି ଟ୍ରାଫିକ୍‌ କଟକଣା ଲାଗୁ ହୋଇଥିବ ତାହାକୁ ପାଳନ କରିବା, ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳଠାରୁ ଦୂରେଇ ରହିବା ଏବଂ ବିପଦସଙ୍କୁଳ କୋଠା ଘରେ ନ ରହିବାକୁ କୁହାଯାଇଛି।