ଯାଜପୁରସଦର: ଯାଜପୁର ତହସିଲ ଅଧୀନସ୍ଥ ବରାହ ଘାଟ ନିକଟରେ କିଛିଲୋକ ହଜାରହଜାର ଟ୍ରିପ୍ ବାଲି ବେଆଇନ୍ ଭାବେ ଗଚ୍ଛିତ କରି ରଖୁଥିଲେ। ଏନେଇ ସମ୍ବାଦରେ ବାରମ୍ବାର ଖବର ପ୍ରକାଶ ପରେ ଆଜି ରାଜସ୍ବ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ବେଆଇନ ବାଲିଗଦା ଉପରେ ଆଜି ତହସିଲ ପକ୍ଷରୁ ନାଲି ପତାକା ପୋତାଯାଇଛି। ଯାଜପୁର ନିକଟସ୍ଥ ବୈତରଣୀ ନଦୀରୁ ବାଲି ଲୁଟ୍ କରି କିଛି ମାଫିଆ ମାଲାମାଲ୍ ହେଉଛନ୍ତି। ଆଜି ଗୋଟିଏ ସ୍ଥାନରେ ବାଲିଚୋରି ରାକେଟ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ଏହାକୁ ନେଇ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଯାଜପୁରର ବରାହ ଘାଟରେ ୩ ଜଣ ବ୍ୟକ୍ତି ବହୁବର୍ଷ ଧରି ବେଆଇନ ଭାବେ ବାଲି ଗଚ୍ଛିତ କରି ବିକ୍ରି କରି ଆସୁଥିଲେ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତହସିଲ କର୍ତ୍ତୃପକ୍ଷ ନିରବ ରହିଥିଲେ। ଫଳରେ ବାଲି ମାଫିଆ ଓ ପ୍ରଶାସନର ସଲାସୁତୁରାରେ ବାଲି ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା। ଏହି ବେଆଇନ କାରବାର ବିରୋଧରେ ସମ୍ବାଦ ପକ୍ଷରୁ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଆଜି ଯାଜପୁର ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାଶ, ଯାଜପୁର ଟାଉନ ରାଜସ୍ବ ଅଧିକାର ଅଭୟ ବେହେରା ବୈତରଣୀ ନଦୀ ପଠାରେ ପହଞ୍ଚି ୪ଟି ସ୍ଥାନରେ ଗଚ୍ଛିତ ଥିବା ଶହଶହ ଟ୍ରିପ୍ ବାଲି ଉପରେ ନାଲି ପତାକା ପୋତିଛନ୍ତି। ତହସିଲ ପକ୍ଷରୁ ଏହି ବେଆଇନ ବାଲିର ଆକଳନ କରାଯାଇ ଏଥିପାଇଁ ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସ୍ଥାନରେ ରାତି ସମୟରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ୁଛି। ଫଳରେ ଯାଜପୁର ଟାଉନ ଥାନାଧିକାରୀ ଅଜୟ କୁମାର ଜେନାଙ୍କୁ ଏହି ସ୍ଥାନରେ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।