ଭୁବନେଶ୍ବର/ସେମିଳିଗୁଡ଼ା:ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨୩୫ଟି ଚାଲାଣ କଟାଯାଇଛି। ସେଥିରେ ୧୦୫ଟି ବସ୍ ରହିଥିବା ବେଳେ ୮୫ଟି ହାଲୁକା ଯାନ ଓ ୪୪ଟି ଅଟୋ ରହିଛି। ବୈଧ ଫିଟ୍ନେସ୍ ସିର୍ଟିଫିକେଟ୍ ନ ଥିବାରୁ ୧୭୩ଟି ଗାଡ଼ି ବିରୋଧରେ ଚାଲାଣ କଟାଯାଇଥିବା ବେଳେ ୮୫ଟିର ପରିମିଟ୍ ନ ଥିଲା, ୯୮ଟିର ଇନ୍ସ୍ୟୁରାନ୍ସ ନାହିଁ। ପିୟୁସି ସାର୍ଟିଫିକେଟ୍ ନ ଥିବାରୁ ୫୧ଟି, ଟ୍ୟାକ୍ସ ଦେଇ ନ ଥିବାରୁ ୨୫ଟି ଓ ୫୯ ଜଣ ଡ୍ରାଇଭରଙ୍କର ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) ନ ଥିବାରୁ ଜରିମାନା କଟାଯାଇଛି। ଦୁଇଟି ବସ୍କୁ ସିଜ୍ କରାଯାଇଥିବା ସୂଚନା ମିଳିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଅଞ୍ଚଳର ନେତାଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବସ୍(ଓଆର୍ ୦୨ ବିଜେ ୬୨୦୦)ର ଆବଶ୍ୟକୀୟ କାଗଜପତ୍ର ନଥିବାରୁ ୪ ଲକ୍ଷ ୧୫୦୦ ଟଙ୍କା ଜରିମାନା ହୋଇଛି। ଟ୍ୟାକ୍ସ ଓ ପେନାଲ୍ଟି ବକେୟା ବାବଦରେ ୩ ଲକ୍ଷ ୮୧ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ଫିଟ୍ନେସ୍ ଓ ପରମିଟ୍ ବାବଦରେ ୧୦ ହଜାର ଟଙ୍କା ଲେଖାଏ ଏବଂ ସାଧାରଣ ଅଫେନ୍ସ ବାବଦରେ ୫୦୦ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦିଆଯାଇଥିବା ନେଇ ଯାଞ୍ଚ ଦାୟିତ୍ବରେ ଥିବା ଟ୍ରାଫିକ୍ ସବ୍ ଇନ୍ସପେକ୍ଟର ରାଜା ନାରାୟଣ ସ୍ୱାଇଁ ପ୍ରକାଶ କରିଛନ୍ତି।
ଆସନ୍ତା ୨୭ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଯାଞ୍ଚ କରିବାକୁ ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ କୁହାଯାଇଛି। ଏଥିସହିତ, ଗାଡ଼ିଗୁଡ଼ିକ ଯାଞ୍ଚ କରି ୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/38-18.jpg)