ସ୍ବାଭିମାନ ଅଞ୍ଚଳରେ ଲାଲ୍ ଆତଙ୍କ : ଭିଟାମାଟି ଛାଡ଼ିଲେ ୮୫ ପରିବାର

ରାଜୁଲକୋଣ୍ଡାରେ ନେଇଛନ୍ତି ଆଶ୍ରୟ, ପୁଲିସ ଓ ପ୍ରଶାସନ ପକ୍ଷରୁ ବୁଝାସୁଝା

ମାଲକାନଗିରି : କିଛିଦିନର ଶାନ୍ତ ପରିବେଶ ପରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳକୁ ଫେରିଛି ଲାଲ୍ ଆତଙ୍କ। ଲୋକେ ଏତେମାତ୍ରାରେ ଭୟଭୀତ ହୋଇ ଯାଇଛନ୍ତି ଯେ, ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ବିଭିନ୍ନ ପଞ୍ଚାୟତର ଭିନ୍ନ ଭିନ୍ନ ଗାଁରୁ ୮୫ ପରିବାର ଗାଁ ଛାଡ଼ିବା ପରେ ଚିତ୍ରକୋଣ୍ଡା ନିକଟସ୍ଥ ରାଜୁଲକୋଣ୍ଡାରେ ଆଶ୍ରୟ ନେଇଛନ୍ତି। ଆଉ ଗାଁକୁ ଫେରିବେ ନାହିଁ ବୋଲି ଭୟ ଓ କୋହଭରା କଣ୍ଠରେ କହିଥିବାବେଳେ ସେମାନଙ୍କୁ ବୁଝାଶୁଝା କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ସ୍ବାଭିମାନ ଅଞ୍ଚଳରେ ଚାଲିଛି ଶକ୍ତି ପ୍ରଦର୍ଶନ। ସୁରକ୍ଷା କର୍ମୀ ଏହି ଅଞ୍ଚଳକୁ ଘେରିବା ପରେ ପଛଘୁଞ୍ଚା ଦେଇଥିଲେ ନକ୍ସଲ। ତଥାପି ମଝିରେ ମଝିରେ ଆସି ନକ୍ସଲ ଏଠାରେ ଲୋକଙ୍କୁ ବଳପୂର୍ବକ ସମର୍ଥନ ଦେବାକୁ ଧମକାଉଛନ୍ତି। ଏପରିକି ଗାଁ ଛାଡ଼ି ବାହାରକୁ ଯିବା ପାଇଁ ନକ୍ସଲ ବାରଣ କରିଛନ୍ତି। ଏମିତିସ୍ଥିତିରେ ଆତଙ୍କର ବାତାବରଣ ମଧ୍ୟରେ ରହିଛନ୍ତି ଲୋକ। ଏମିତି ଆତଙ୍କିତ ଅବସ୍ଥାରେ ଆଉ ନ ରହିବାକୁ ନିଷ୍ପତ୍ତି ନେଇ ୭ଟି ପଞ୍ଚାୟତର ୮୫ ପରିବାର ଗ୍ରାମ ଛାଡ଼ିଛନ୍ତି। ଯଡ଼ାମ୍ବ ପଞ୍ଚାୟତର ତାରାବେଡ଼ା, ବିହନଗୁଡ଼ି, ପୁଡ଼ଖାଲ, ଦୋରାଗୁଡ଼ା, ପୂଜାରୀଗୁଡ଼ା, ଖଜୁରିଗୁଡ଼ା, ତାଡ଼ିଗୁଡ଼ା, ମାଟିଖାଲ, ଡୋଲିଆମ୍ବ, ଡାଲଗୁଡ଼ା, ପାଲସପଦର, ତାଡ଼ପଦର ଗ୍ରାମର ପ୍ରାୟ ୬୭ ପରିବାର ଗାଁ ଛାଡ଼ିଛନ୍ତି। ସେହିପରି ପଣସପୁଟ ପଞ୍ଚାୟତର ଡଙ୍ଗାପଦର, ବେଜିଂ, ବଡ଼ପୁଟ, ମୁତାଆମ୍ବ ଗାଁର ୮ ପରିବାର ସୁରକ୍ଷିତ ଆଶ୍ରୟ ଖୋଜୁଛନ୍ତି। ବଡ଼ପଦର ପଞ୍ଚାୟତର ୪ ପରିବାର, ଅଣ୍ଡ୍ରାପାଲୀ ପଞ୍ଚାୟତର ୭ ପରିବାର, ବଡ଼ପଡ଼ା ପଞ୍ଚାୟତର ୪ ପରିବାର, ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଗୋଣ୍ଡିଆପଡ଼ା ଗ୍ରାମର ୪ ପରିବାର ଏବଂ ଡୁମୁରିପୁଟ ଗ୍ରାମର ୨ ପରିବାର ବି ଚିତ୍ରକୋଣ୍ଡା ନିକଟସ୍ଥ ରାଜୁଲକୋଣ୍ଡାରେ ଆଶ୍ରୟ ନେଇଛନ୍ତି। ତେବେ ଯଡ଼ାମ୍ବ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ପରିବାର ଏକକାଳୀନ ଗାଁ ଛାଡ଼ିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଅଞ୍ଚଳ ପୂର୍ବରୁ ସଂପୂର୍ଣ୍ଣ ନକ୍ସଲଙ୍କ ଦଖଲରେ ରହିଥିଲା। ତେବେ କିଛିଦିନ ତଳେ ପୂରା ପଞ୍ଚାୟତକୁ ଅକ୍ତିଆରକୁ ନେଇଥିଲେ ସୁରକ୍ଷା କର୍ମୀ। ଏହି ଅଞ୍ଚଳରେ ବିଏସ୍‌ଏଫ କ୍ୟାମ୍ପ ପ୍ରତିଷ୍ଠା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତଥାପି ଲୋକେ ଗାଁ ଛାଡ଼ି ଏବେ ସୁରକ୍ଷା ଖୋଜୁଛନ୍ତି। ଏହି ଗ୍ରାମର ଲୋକ ପୁଲିସକୁ ସମର୍ଥନ କରିବା ସହ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ପ୍ରଶାସନକୁ ସମର୍ଥନ କରିବାରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି। ଏପରିକି ଅଞ୍ଚଳର ଜଣେ ବି ନିରୀହ ଲୋକ ଆକ୍ରୋଶର ଶିକାର ନ ହୁଅନ୍ତୁ ବୋଲି ନିଷ୍ପତ୍ତି ନେଇ ଅଞ୍ଚଳବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର