ଡିପ୍ରେସନ୍‌ ପ୍ରଭାବରେ ପ୍ରବଳ ବର୍ଷିବ, ଓଡ଼ିଶାର ୪ ଜିଲ୍ଲା ପାଇଁ ରେଡ୍‌ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇସାରିଛି ଓ ଏହା ପାରାଦୀପଠାରୁ ୧୫୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଏହା ଆସନ୍ତାକାଲି ସୁଦ୍ଧା ଡିପ୍‌-ଡିପ୍ରେସନରେ ପରିଣତ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ନିଜର ମଧ୍ୟାହ୍ମ ବୁଲେଟିନରେ କହିଛି ।

ଏହାର ପ୍ରଭାବରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲା ପାଇଁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଶୁକ୍ରବାର ଅପରାହ୍ଣ ବେଳକୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ପରବର୍ତ୍ତୀ ତିନି ଦିନ ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ ।

ସମ୍ବନ୍ଧିତ ଖବର