୯ ଜିଲ୍ଲାରେ ଭୀଷଣ ବର୍ଷିଲା, ପୁଣି ୧୩ ଜିଲ୍ଲାକୁ ରେଡ୍‌ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ,ଦେବଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ପାଇଁ ରେଡ୍‌ ଵାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁର ପାଇଁ ଅରେଞ୍ଜ ଵାର୍ଣ୍ଣିଂ ବା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହା ପରେ ବର୍ଷା ପ୍ରକୋପ କମିବ।

ଅନ୍ୟପକ୍ଷରେ ଆଜି ଦିନରେ ବିଭିନ୍ନ ସ୍ଥାନରେ ବିଶେଷ ବର୍ଷା ନାହିଁ। କିନ୍ତୁ ପୂର୍ବାହ୍ନ ସାଢେ ଆଠଟା ପର୍ଯ୍ୟନ୍ତ ଯେଉଁ ବର୍ଷା ରେକର୍ଡ କରାଯାଇଛି, ତାହା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ଉତ୍ତର ଓ ଉପକୂଳବର୍ତୀ ସଂଲଗ୍ନ ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏସବୁ ଜିଲ୍ଲାଗୁଡିକ ହେଲା, କେନ୍ଦ୍ରାପଡ଼ା
(୧୬୮.୩ମିମି), ସୁବର୍ଣ୍ଣପୁର(୧୬୨.୩ମିମି), ଜଗତସିଂହପୁର (୧୪୬.୫ମିମି), ବୌଦ୍ଧ (୧୩୩.୩ମିମି), କେନ୍ଦୁଝର (୧୨୪.୮ମିମି), ମୟୂରଭଂଜ (୧୨୨.୨ମିମି), ଭଦ୍ରକ (୧୧୭ମିମି), ଯାଜପୁର(୧୧୫.୦ମିମି)ଓ କଟକ (୧୦୧.୯ମିମି)।

ବ୍ଲକକୁ ୟୁନିଟ୍ ଭାବେ ବିଚାର କଲେ, ବୌଦ୍ଧ, ମାର୍ଶାଘାଇ, ଚମ୍ପୁଆ ଓ ବାରିପଦାରେ ୨୦୦ ମିଲିମିଟର ଉପରେ ବର୍ଷା ହୋଇଛି। ୯୨ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା େହାଇଥିବା ବେଳେ ୯୬ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି।

୨୦୨୦ରୁ ଜୁନରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ହିସାବ କଲେ ରାଜ୍ୟରେ ୬% ଅଧିକ ବର୍ଷା ରେକର୍ଡ ହୋଇଛି। ମାଲକାନଗିରି, ଭଦ୍ରକ, କେନ୍ଦ୍ରାପଡା ଓ କଟକ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୨୬ଟି ଜିଲ୍ଲାରେ ବର୍ଷା ସ୍ବାଭାବିକ ରହିଛି।

ସମ୍ବନ୍ଧିତ ଖବର