ରେଢ଼ାଖୋଲ : ଅଷ୍ଟପ୍ରହରୀ ନାମଯଜ୍ଞରେ ମହାମନ୍ତ୍ର ନାମ ଚାଲିଥିବା ବେଳେ ହଠାତ୍‌ ମୃଦଙ୍ଗ ବାଦକ ଅସୁସ୍ଥ ହୋଇ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବ୍ଲକ ବଡ଼ମାଳ ଫାଣ୍ତି ରେଙ୍ଗାଲି ଗାଁରେ ଏହି ଅଘଟଣ ଘଟିଛି। ମୃତ ମୃଦଙ୍ଗ ବାଦକ ପିପିଲିକାନୀ ଗ୍ରାମର ଗେଥଲ ଦେହୁରୀ (୫୦) ବୋଲି ଜଣାଯାଇଛି।

Advertisment

ଘଟଣାରୁ ଜଣାପଡ଼ିଛି ଗେଥଲ ନିଜ ଗ୍ରାମ ପିପିଲିକାନୀ କୀର୍ତ୍ତନ ଦଳ ସହିତ ଗତ ମଙ୍ଗଳବାର ରାତିରେ ରେଙ୍ଗାଲି ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞରେ ଯୋଗ ଦେଇଥିଲେ। ସେଠାରେ ଗେଥଲ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଅଣାଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗେଥଲଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗେଥଲଙ୍କ ଗୋଟିଏ ପୁଅ ଓ ୩ଟି ଝିଅ ଅଛନ୍ତି। ବଡ଼ ଝିଅର ବାହାଘର ସ୍ଥିର ହୋଇଥିବା ବେଳେ ପୁଅ ସୁରଟ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଗେଥଲଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।