ରେଢ଼ାଖୋଲ ଉପଖଣ୍ତରେ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର : ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ଚାଲୁଛି ପାଠପଢ଼ା

କେତେକ ସ୍କୁଲରେ ପିଲା ରୋଷେଇ ଘର ଓ ଗାଁ କ୍ଲବ୍‌ ଘରେ ବସୁଥିବା ଅଭିଯୋଗ

ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ତରେ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଶ୍ରେଣୀଗୃହ ଅଭାବରେ ଗୋଟିଏ କକ୍ଷରେ ୩ଟି ଶ୍ରେଣୀର ପିଲା ପାଠ ପଢ଼ୁଥିବା ବେଳେ ଦୁଇଟି ଶ୍ରେଣୀା ପିଲା ବାରଣ୍ଡାରେ ବସୁଥିବା ଦେଖାଯାଇଛି। ସେହିପରି କେତେକ ସ୍କୁଲ୍‌ର ପିଲା ରୋଷେଇ ଘର ଓ ଗାଁ କ୍ଲବ୍‌ ଘରେ ବସୁଥିବା ଅଭିଯୋଗ ହେଉଛି। ଏସବୁ ଅବ୍ୟବସ୍ଥାକୁ ନେଇ ଶିକ୍ଷା ବିଭାଗ ଓ ଉପଖଣ୍ଡ ପ୍ରଶାସନ ନିକଟରେ ଅଭିଯୋଗ କରାଗଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ହେଉ ନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହେଉଛି। ସଚେତନ ନାଗରିକ, ଅଭିଭାବକ ଓ ପିଲାମାନେ ସ୍କୁଲ୍‌ ଫାଟକରେ ତାଲା ପକାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି।

ରେଢ଼ାଖୋଲ ବ୍ଲକ୍‌ ବଂଶାଜାଲ ପଞ୍ଚାୟତ ରତ୍ନାବଡ଼ମାଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ଏକ ଦୟନୀୟ ଚିତ୍ର ଦୃଷ୍ଟିକୁ ଆସିଛି। ଏଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି। ଶ୍ରେଣୀଗୃହ ଅଭାବରୁ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲା ଗୋଟିଏ କୋଠରୀରେ ବସୁଛନ୍ତି। ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲା ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଫଳରେ ଏଠାରେ ଶିକ୍ଷକଙ୍କୁ ପାଠ ପଢ଼ାଇବାରେ ସମସ୍ୟା ହେଉଛି। ମାସେ କି ଦୁଇମାସ ନୁହେଁ ବର୍ଷ ବର୍ଷ ଧରି ଏପରି ଅବ୍ୟବସ୍ଥା ଚାଲିଥିବା ଦେଖାଯାଉଛି। ପୂର୍ବରୁ ଏହି ସ୍କୁଲ୍‌ରେ ୩ଟି କୋଠରିରେ ପାଠପଢ଼ା ଚାଲୁଥିଲା। ମାତ୍ର ଏବେ ୨ଟି କୋଠରିକୁ ବିପଜ୍ଜନକ ଘୋଷଣା କରାଯାଇଛି। ଏ ସଂପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ କେହି ଏଥି ପ୍ରତି ଧ୍ୟାନ ଦେଉ ନଥିବା ଜଣାପଡ଼ିଛ। ସେହିପରି କେଉଁଟିବାହାଳି ପ୍ରାଥମିକ ସ୍କୁଲ୍‌ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଶ୍ରେଣୀଗୃହ ଅଭାବରୁ କ୍ଲବ୍‌ ଘରେ ପାଠପଢ଼ା ଚାଲିଛି। କ୍ଲବ୍‌ର କିଛି କାର୍ଯ୍ୟକ୍ରମ ଚାଲିଲେ ପିଲାଙ୍କ ପାଠପଢ଼ାକୁ ବାତିଲ କରିଦିଆଯାଉଛି। ଲମଟିଦାଦର ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ମଧ୍ୟ ସାଂଘାତିକ। ଏଠାରେ ରୋଷେଇ ଘରେ ଶିକ୍ଷାଦାନ ଚାଲିଛି। ପାଠପଢ଼ା ସମୟରେ ରୋଷେଇ ହେଲେ ପିଲାମାନେ ଧୂଅଁାରେ ହନ୍ତସନ୍ତ ହେଉଛନ୍ତି। ଏହା କେବଳ ଗୋଟିଏ କିମ୍ବା ଦୁଇଟି ସ୍କୁଲ୍‌କୁ ଉଦାହରଣ ଭାବେ ନିଆଯାଇଛି। ଏପରି ଚିତ୍ର କୁସୁମବାହାଳ, କୁହ୍ଲମଳିଆ, ଧଉରାଖମନ, ଭାଲୁଚୁଆ,ଗୁଜିଂଘରା ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରାୟ ୧୪ଟି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏ ସଂପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିରାଙ୍କ ଦୃଷ୍ଟି ଆର୍କଷଣ ହେବାରୁ ସେ ୧୪ଟି ବିଦ୍ୟାଳୟର ଶ୍ରେଣୀଗୃହ ନଥିବା ସ୍ବୀକାର କରିଥିଲେ। ଏପରି ଅବ୍ୟବସ୍ଥା ସଂପର୍କରେ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିବା ସେ କହିଥିଲେ। ଖୁବ୍‌ ଶୀଘ୍ର ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ବ୍ଲକ୍‌ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବାଙ୍କିରା କହିଛନ୍ତି।

ସମ୍ବନ୍ଧିତ ଖବର