ଶେଷ ହେଲା ଜଗନ୍ନାଥ ସଡ଼କ ଅନେ୍ଵଷଣ

ଭୁବନେଶ୍ୱର : ତୀର୍ଥଯାତ୍ରୀଙ୍କ ଜୀବନ ରେଖା ଭାବେ ପରିଚିତ ଐତିହ୍ୟ ରୋଡ୍‌ ଜଗନ୍ନାଥ ସଡ଼କକୁ ନେଇ ଜାରି ରହିଥିବା ପୁନଃ ଅନେ୍ଵଷଣ ପୂର୍ଣ୍ଣାଙ୍ଗ ରୂପ ନେଇଛି। କୋଲକାତାରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଐତିହ୍ୟ ସଡ଼କର ପୁନଃ ଅନେ୍ଵଷଣ ସହ ୩୦୦ରୁ ଊର୍ଧ୍ୱ ସ୍ମାରକ ଚିହ୍ନଟ କରାଯାଇଛି।

ଦି ଇଣ୍ଡିଆନ୍‌ ନାସ୍‌ନାଲ୍‌ ଟ୍ରଷ୍ଟ୍‍ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ପକ୍ଷରୁ ହୋଇଥିବା ଏହି ପୁନଃ ଅନେ୍ଵଷଣ ଓଡ଼ିଶାରୁ ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଶେଷ ହୋଇଛି। ଓଡ଼ିଶା ମଧ୍ୟରେ ଥିବା ଏହି ପୁରୁଣା ଜଗନ୍ନାଥ ସଡ଼କ ଜଳେଶ୍ୱର, ରାଜଘାଟ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋରୋ, ଭଦ୍ରକ, ଧାମନଗର, ଯାଜପୁର, କୁଆଖିଆ, ଧର୍ମଶାଳା, ଛତିଆ, କଟକ, ବାରଙ୍ଗ, ବାଲିଅନ୍ତା, ଭୁବନେଶ୍ୱର, ଉତ୍ତରା ଶାସନ, ପିପିଲି, ସାକ୍ଷୀଗୋପାଳ ଦେଇ ପୁରୀ ପର୍ଯ୍ୟନ୍ତ ୫୧୦ କିଲୋମିଟର ଯାଇଥିଲା। ୧୭୦୦ ଖ୍ରୀଷ୍ଟାବ୍ଦର ଶେଷ ଆଡ଼କୁ ଆରମ୍ଭ ହୋଇଥିବା ଏହି ଜଗନ୍ନାଥ ରୋଡ୍‌ ୧୮୨୫ ପରଠାରୁ ‘ଓଡ଼ିଶା ଟ୍ରଙ୍କ୍‌ ରୋଡ୍‌’ ଭାବେ ପରିଗଣିତ ହୋଇଥିଲା। ତେବେ ୧୮୯୮ରେ ରେଳପଥ ସଂଯୋଗ ହେବା ପରେ ଜଗନ୍ନାଥ ସଡ଼କ ଗୁରୁତ୍ୱ ହରାଇଥିଲା। ଯେଉଁ ରାସ୍ତାକୁ ଅତିକ୍ରମ କରିବା ପାଇଁ ୩ ସପ୍ତାହ ଲାଗି ଯାଉଥିଲା ରେଳପଥ ଆସିବା ପରେ ସେହି ରାସ୍ତାକୁ ୧୫ ଘଣ୍ଟାରେ ଅତିକ୍ରମ କରି ହେଲା। ତେଣୁ ଏହି ରୋଡ୍‌ର କେତେକ ଜାଗା ନିଶ୍ଚିହ୍ନ ହୋଇଗଲା। ଆଉ କିଛି ରାସ୍ତା ଗ୍ରାମରେ ପରିଣତ ହେଲା। ତେଣୁ ୫୧୦ କିଲୋମିଟରର ରାସ୍ତା ଏବେ ସଙ୍କୁଚିତ ହୋଇ ୧୬୮ କିଲୋମିଟରରେ ପହଞ୍ଚିଥିବା ବେଳେ ଏହା ମଧ୍ୟରେ ପ୍ରାୟ ୨୦୦ ସ୍ମାରକ ଚିହ୍ନଟ କରାଯାଇଛି।

ନିକଟରେ କିଛି ବର୍ଷର ଅନେ୍ଵଷଣ ପରେ ଇନ୍‌ଟାକ୍‌ ପଶ୍ଚିମବଙ୍ଗ ଚାପ୍ଟର ମଧ୍ୟ ଏହି କାର୍ଯ୍ୟ ଶେଷ କରିଛି। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପଶ୍ଚିମବଙ୍ଗରେ ୩ ପ୍ରକାର ରୁଟ୍‌କୁ ଚିହ୍ନଟ କରାଯାଇଛି। ପୁରୁଣା ଜଗନ୍ନାଥ ସଡ଼କ ହାଓଡ଼ା, ଆନ୍ଦୁଲ୍‌, ଉଲ୍‌ବେଡ଼ିଆ, ବାଗ୍‌ନାନ, ପାଁଶକୁରା, ଦେବ୍ରା, ଖଡ଼ଗପୁର, ବେଲ୍‌ଦା ଓ ଦାନ୍ତନ ଦେଇ ଯାଇ ଜଳେଶ୍ୱରରେ ସଂଯୋଗ ହୋଇଥିଲା। ତେବେ ଚୈତନ୍ୟ ମହାପ୍ରଭୁଙ୍କ ରାସ୍ତା କିନ୍ତୁ ଭିନ୍ନ ଥିଲା। ସେହିପରି ଗୁରୁ ନାନକ ମଧ୍ୟ ଭିନ୍ନ ରୁଟ୍‌ ଦେଇ ପୁରୀ ଗସ୍ତ କରୁଥିଲେ। ଯାହାକି ପୁରୁଣା ଜଗନ୍ନାଥ ସଡ଼କକୁ ଠାଏଠାଏ ସଂଯୋଗ କରୁଥିଲା। ଇନ୍‌ଟାକ୍‌ର ଅନିଲ୍‌ ଧୀର୍‌ଙ୍କ ସୂଚନା ମୁତାବକ ସମ୍ପନ୍ନ ହୋଇଥିବା ଜଗନ୍ନାଥ ସଡ଼କ ପୁନଃ ଅନେ୍ଵଷଣ ପରେ ମିଳିଥିବା ରିପୋର୍ଟ ମୁତାବକ ୧୦୦ଟି ସ୍ମାରକ ଚିହ୍ନଟ କରାଯାଇଛି।

ତେଣୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମିଶାଇ ୩୦୦ ସ୍ମାରକ ଚିହ୍ନଟ ହୋଇଥିବା ବେଳେ ଏହାର ପୁନରୁଦ୍ଧାର ସହ ସ୍ଥିତି ଓ ମୂଳଭିତ୍ତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ଇନ୍‌ଟାକ୍‌ର ଚେୟାରମ୍ୟାନ୍‌ ମେଜର ଜେନେରାଲ ଏଲ୍‌କେ ଗୁପ୍ତା ଏହି ରିପୋର୍ଟକୁ କୋଲକାତାରେ ଇଣ୍ଡିଆନ୍‌ ମ୍ୟୁଜିୟମରେ ଉନ୍ମୋଚନ କରିବେ।

ସମ୍ବନ୍ଧିତ ଖବର