ଭୁବନେଶ୍ବର: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇବ। ପିଲାମାନେ ଏବେ ଯେତିକି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଛନ୍ତି ସେଥିରୁ ୧୫ରୁ ୩୦% କାଟି ଦିଆଯିବ। ପୁରୁଣା ପାଠ୍ୟକ୍ରମ ତଥା ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ନ ଥିବା ବିଷୟଗୁଡ଼ିକ ପାଠ୍ୟପୁସ୍ତକରୁ ବାଦ ପଡ଼ିବ। ଏଥିସହ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ଓ ଅଭିଜ୍ଞତାମୂଳକ ଶିକ୍ଷାକୁ ପ୍ରୋତ୍ସାହନ ଉପରେ ଧ୍ୟାନ ଦିଆଯିବ। ନୂତନ ବିଷୟ ପ୍ରଚଳନ, ଅଭିନବ ଶିକ୍ଷାଦାନ ପଦ୍ଧତି, ବିବିଧ ମୂଲ୍ୟାଙ୍କନର ବ୍ୟବହାର ଓ ଶିକ୍ଷା ମାନଦଣ୍ଡ ହାସଲ କରିବାକୁ ସୁସଙ୍ଗଠିତ ସମୟସୀମା ସୁନିଶ୍ଚିତ ହେବ। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଏବଂ ଟିଏଲଏମ୍ (ଟିଚର ଲର୍ଣ୍ଣିଂ ମାଟେରିଆଲ୍‌ର୍ସ) ବିକାଶ କରାଯିବ। ଏଥିରେ ୩  ପ୍ରକାରର ସମୟସୀମା ଯଥା ଇମିଡିଏଟ୍ (୬ମାସ ମଧ୍ୟରେ), ସ୍ୱଳ୍ପକାଳୀନ (୬ରୁ ୧୨ମାସ) ଓ ଦୀର୍ଘକାଳୀନ (୧ବର୍ଷରୁ ଅଧିକ) ରହିବ। ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷାଗତ ଓ ପ୍ରାଶାସନିକ ପ୍ରକ୍ରିୟା, ସମ୍ପ୍ରଦାୟ ଭାଗୀଦାରି, ଅନ୍ତର୍ଭୁକ୍ତୀକରଣ ଏବଂ ବିଦ୍ୟାଳୟ କ୍ଲଷ୍ଟର୍‌ ମାଧ୍ୟମରେ ଆବଶ୍ୟକ ସମ୍ବଳ ବଣ୍ଟନ କରାଯିବ। ଶିକ୍ଷକ ଓ ବିଦ୍ୟାଳୟ ମୁଖ୍ୟମାନଙ୍କ କ୍ଷମତା ବୃଦ୍ଧି କରିବାକୁ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦ ଆଧାରରେ ଯୋଜନା ପ୍ରସ୍ତୁତ ହୋଇଛି।

Advertisment

ଏନ୍‌ଇପି-୨୦୨୦ କର୍ମଶାଳାର ଦ୍ୱିତୀୟ ଦିନରେ ଗ୍ରୁପ୍‌ସ୍ତରୀୟ ଆଲୋଚନା ହୋଇଛି। ପାଠପଢ଼ା ସମୟସୀମା, କାର୍ଯ୍ୟ ଯୋଜନା, ଶିଶୁ ବାଟିକାଗୁଡ଼ିକୁ କାର୍ଯ୍ୟକ୍ଷମ ଏବଂ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏନ୍‌ଇପି ଓ ଜାତୀୟ ପାଠ୍ୟକ୍ରମ ରୂପରେଖ-୨୦୨୩କୁ ନେଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ଆଲୋଚନା କରାଯାଇଛି। ଗ୍ରୁପ୍‌ଗୁଡ଼ିକ ପ୍ରଭାବଶାଳୀ ନିର୍ଦ୍ଦେଶ ଓ ମୂଲ୍ୟାଙ୍କନ ପାଇଁ ଏକାଧିକ ବୋର୍ଡର ଏକୀକରଣ, ସ୍ପଷ୍ଟ ପାଠ୍ୟକ୍ରମ ଓ ଶିକ୍ଷଣ ଫଳାଫଳ ସହ ‘ମାଧ୍ୟମିକ ପର୍ଯ୍ୟାୟ-୨ ରାଜ୍ୟ ପାଠ୍ୟକ୍ରମ ରୂପରେଖ’ ବିକଶିତ କରିବାକୁ ଯୋଜନା ହୋଇଛି। ଏଥିସହ ସରକାରୀ ବିଦ୍ୟାଳୟର ବିଭିନ୍ନ ଗ୍ରେଡ୍ ସ୍ତରରେ ହୋଲିଷ୍ଟିକ୍ ପ୍ରୋଗ୍ରେସ୍ କାର୍ଡ (ଏଚ୍‌ପିସି) ଓ ମୂଲ୍ୟାଙ୍କନ ରେଜିଷ୍ଟର୍‌ କାର୍ଯ୍ୟକାରୀ କରିବା ଉପରେ ଶିକ୍ଷକମାନେ ମତ ରଖିଛନ୍ତି। ବିଦ୍ୟାଳୟ ସ୍ତରରେ ଏଚ୍‌ପିସି କାର୍ଯ୍ୟକାରୀ କରିବାରେ ଉପୁଜିବାକୁ ଥିବା ଆହ୍ବାନ ବିଷୟରେ ସେମାନେ ସୂଚନା ଦେଇଛନ୍ତି।

୧୫ରୁ ୩୦% ପର୍ଯ୍ୟନ୍ତ ହ୍ରାସ ପାଇବ
ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ
ଲାଗୁ ହେବ ଏଚ୍‌ପିସି ଓ ମୂଲ୍ୟାଙ୍କନ ରେଜିଷ୍ଟର୍‌

କେବଳ ସେତିକି ନୁହେଁ, ଶିକ୍ଷକଙ୍କ ଶିକ୍ଷା ଓ ବୃତ୍ତିଗତ ବିକାଶକୁ ଏନ୍‌ଇପି ସହିତ ସମନ୍ୱିତ କରିବାକୁ ଏକ ଉତ୍ସର୍ଗୀକୃତ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟଗୁଡ଼ିକରେ ଦକ୍ଷତା ଶିକ୍ଷା ପାଇଁ କାର୍ଯ୍ୟାନ୍ୱୟନ ଯୋଜନାର ରୂପରେଖ ଉପସ୍ଥାପନ, ଭିତ୍ତିଭୂମି ଓ ପାଣ୍ଠି, ଶିକ୍ଷକ ନିଯୁକ୍ତି, ସେମାନଙ୍କ ତାଲିମ ଉପରେ ଧ୍ୟାନ, ମୂଲ୍ୟାଙ୍କନ କରି ସେମାନଙ୍କୁ ପ୍ରମାଣପତ୍ର ଦେବା ଉପରେ ଆଲୋଚନା କରାଯାଇଛି। ଶିକ୍ଷକଙ୍କୁ ସାହାଯ୍ୟ ଏବଂ ସେମାନଙ୍କ ନିରନ୍ତର ବୃତ୍ତିଗତ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଦିଆଯିବ। ଶିକ୍ଷାଦାନ ଓ ପ୍ରଶାସନିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୁକ୍ତ ଓ ନିରାପଦ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟ ପାଠ୍ୟକ୍ରମ ରୂପରେଖରେ ଏନ୍‌ଇପିକୁ ସମନ୍ବୟ କରି ଭିତ୍ତିଭୂମି ଓ ଶିକ୍ଷକ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ଆଲୋଚନା ସହ ‘ପଞ୍ଚକୋଷ’ (ଭାରତୀୟ ମନସ୍ତତ୍ତ୍ବ ଓ ଦର୍ଶନ)କୁ ଉଲ୍ଲେଖ କରାଯାଇଛି। ଶିକ୍ଷଣ ସାମଗ୍ରୀ, କାର୍ଯ୍ୟକଳାପ ଓ ବିଦ୍ୟାଳୟ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତୀକରଣକୁ ପ୍ରାଥମିକତା ଦେବାକୁ ମତପ୍ରକାଶ ପାଇଛି। କର୍ମଶାଳାର ପ୍ରଥମ ଦିନରେ ୧୦ଟି ଗ୍ରୁପ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ ଦ୍ବାରା ଏନ୍‌ଇପିର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରିବାକୁ ସାମଗ୍ରୀର ଆବଶ୍ୟକତା ଓ ଗୁରୁତ୍ୱ, ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀର ବିକାଶ, ପାଠ୍ୟପୁସ୍ତକର ପ୍ରାସଙ୍ଗିକୀକରଣ, ଶିକ୍ଷକଙ୍କ ତାଲିମ, ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ଡିଜିଟାଲ୍ ହସ୍ତକ୍ଷେପ ବିଷୟରେ ଆଲୋଚନା ହୋଇଥିଲା। ସେହିପରି ପାଠ୍ୟପୁସ୍ତକରେ ବହୁଭାଷାର ସମନ୍ୱୟ, ପ୍ରତି ବିଷୟରେ ଓଡ଼ିଶା ସମ୍ବନ୍ଧକୁ ଗୁରୁତ୍ବ, ପାଠ୍ୟକ୍ରମ ବିକାଶ ପାଇଁ ସାରଣୀ ପ୍ରସ୍ତୁତି, ଶିକ୍ଷଣ ଫଳାଫଳ, ଅଭିମୁଖୀକରଣ, ଶିକ୍ଷକଙ୍କ ତାଲିମ ଓ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।