କରୋନା ପାଇଁ କମିଗଲା ଶ୍ୱାସଜନିତ ରୋଗ

ଭୁବନେଶ୍ୱର : ୨ବର୍ଷ ଧରି କରୋନା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। କୋଟି କୋଟି ‌ଏଥିରେ ଆକ୍ରାନ୍ତ ହେବା ସହିତ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି କରୋନା। ଗୋଟିଏ ପରେ ଗୋଟିଏ ଲହରରେ ଲୋକମାନେ କଲବଲ ହୋଇଛନ୍ତି। ହେଲେ କରୋନା କିଛି ରୋଗ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଲଗାତାର ଦ୍ବିତୀୟ ବର୍ଷ ପାଇଁ ରାଜ୍ୟରେ ଶ୍ବାସଜନିତ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ୨୦୨୦ ତୁଳନାରେ ୨୦୨୧ରେ ଶ୍ବାସରୋଗୀଙ୍କ ସଂଖ୍ୟାରେ ୪୫ ପ୍ରତିଶତ ହ୍ରାସ ପାଇଛି। ମାସ୍କ ପରିଧାନ ଓ ଲୋକଙ୍କ ଭିତରେ ସଚେତନତା ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ମାତ୍ର ଧୀରେ ଧୀରେ କରୋନା ପ୍ରକୋପ ଥମୁଥିବାରୁ ଲୋକମାନେ ମଧ୍ୟ ମାସ୍କ ପିନ୍ଧିବା ଭୁଲି ଗଲେଣି।

Bits & Chips

ସାଧାରଣ ଭାବେ ପ୍ରଦୂଷଣ, ଧୂଳି, ଧୂମ୍ରପାନ ଯୋଗୁଁ ଶ୍ବାସଜନିତ ରୋଗ ବୃଦ୍ଧି ପାଇଥାଏ। ରାଜଧାନୀଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କେଉଁଠାରେ ବି ପ୍ରଦୂଷଣରୁ ନିସ୍ତାର ମିଳୁନାହିଁ। ଏପରିକି ଦୀପାବଳି କିମ୍ବା ଅନ୍ୟ ସମୟରେ ରାଜଧାନୀରେ ପ୍ରଦୂଷଣସ୍ତର ବିପଦଜନକ ସ୍ଥିତିରେ ପହଞ୍ଚି ଯାଉଛି। ଏସବୁ କାରଣରୁ ଲୋକମାନେ ସିଓପିଡି, ଆସ୍ଥ୍ରାଇଟିସ୍, ବ୍ରୋଙ୍କାଏଟିସ୍, ବ୍ରୋଙ୍କୋଲାଇଟିସ୍, ବ୍ରୋଙ୍କୋ ନିମୋନିଆ, ଆଜ୍‌ମା, ଫାଇରାଙ୍ଗିଟିସ୍, ୟୁଆରଆଇ, ଯକ୍ଷ୍ମା ଭଳି ଅନେକ ରୋଗ ଶିକାର ହେଉଛନ୍ତି। ମାତ୍ର କରୋନା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଭଳି ପଦକ୍ଷେପ ନିଆଯାଇଥିଲା। ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ବାହାରକୁ ଗଲେ ମାସ୍କ ପିନ୍ଧୁଥିଲେ। ଗାଡ଼ି ଚଳାଚଳ ମଧ୍ୟ ଯଥେଷ୍ଟ ହ୍ରାସ ପାଇଥିଲା।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କରୋନା ଆସିବା ପୂର୍ବରୁ ବା ୨୦୧୯ ମସିହାରେ ଓଡ଼ିଶାରେ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ୨୮,୭୮,୮୨୭ ରହିଥିଲା। ଏଥିରେ ୭୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ପୁରୁଷ ରୋଗୀଙ୍କ ସଂଖ୍ୟା ଥିଲା ୧୫,୮୬,୯୪୬ ଓ ୪୯ ମୃତ୍ୟୁ ଏବଂ ମହିଳା ରୋଗୀଙ୍କ ସଂଖ୍ୟା ୧୨,୯୧,୮୮୧ ଓ ୨୬ ଜଣ ଏଥିରେ ପ୍ରାଣ ହରାଇଥିଲେ। ୨୦୨୦ରେ ରାଜ୍ୟରେ କୋଭିଡ ଆରମ୍ଭ ହେବା ପରେ ରୋଗୀଙ୍କ ସଂଖ୍ୟାରେ ହ୍ରାସ ପାଇଥିଲା। ଏହି ବର୍ଷ ୧୬,୪୨,୮୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ପୁରୁଷ ସଂଖ୍ୟା ୯,୧୬,୫୬୫ ଓ ୮ ମୃତ୍ୟୁ ଏବଂ ମହିଳା ୭,୨୬,୩୧୮ ଓ ୫ ମୃତ୍ୟୁ ହୋଇଥିଲା। ୨୦୨୧ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ୪୫ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ୧୧,୪୨,୬୬୦ ରୋଗୀ ଚିହ୍ନଟ ହୋଇଛନ୍ତି। ମାତ୍ର ମୃତକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୧୦୯ ପୁରୁଷ ଓ ୪୨ ମହିଳାଙ୍କୁ ମିଶାଇ ୧୫୧ଜଣ ମୁଣ୍ଡ ନେଇଛି ଶ୍ବାସଜନିତ ରୋଗ।

The Weather Channel

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, କୋଭିଡ ପାଇଁ ଲୋକମାନେ ମାସ୍କ ପିନ୍ଧିବା ପାଇଁ ବାଧ୍ୟ ହୋଇଥିଲେ। ଯାହାଫଳରେ ଧୂଳି, ପ୍ରଦୂଷଣରୁ ଲୋକମାନେ ସୁରକ୍ଷା ପାଇଥିଲେ। ଏହାସହ ଲୋକମାନେ ଧୀରେ ଧୀରେ ସଚେତନତା ଅବଲମ୍ବନ କରିବାକୁ ଆରମ୍ଭ କଲେଣି। ଯାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି। ଏପରିକି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ୨୦୨୧ବର୍ଷରେ ଶ୍ବାସଜନିତ ରୋଗରେ ଅଧିକ ସଂଖ୍ୟାରେ ଲୋକମାନେ ପ୍ରାଣ ହରାଇବା ପଛରେ ନିମୋନିଆ ମୁଖ୍ୟ କାରଣ। ତେଣୁ ଆଗକୁ ମଧ୍ୟ ଲୋକମାନେ ଏହିଭଳି ସଚେତନତା ଅବଲମ୍ବନ କରିବା ଆଶା କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଛାତିରୋଗ ବିଶେଷଜ୍ଞ ଡା.ଅନିଲ ମହାନ୍ତି କହିଛନ୍ତି, ଯଦି ଶ୍ବାସରୋଗ ଜନିତ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି ତାହା ହେଲେ ଏଥିରେ ଅନେକାଂଶରେ ମାସ୍କକୁ ଶ୍ରେୟ ଦିଆଯିବ। ନିୟମିତ ହାତ ଧୋଇବା ଭଳି ଆମର ଥିବା ପୁରାତନ ସଂସ୍କୃତିକୁ କୋଭିଡ ପୁଣିଥରେ ଫେରାଇ ଆଣିବାରେ ସକ୍ଷମ ହୋଇଛି। ଜାପାନରେ ଏକ ମାସ୍କ କଲଚର ବା ସଂସ୍କୃତି ରହିଛି। ଯାହାକି ଲୋକମାନଙ୍କୁ ଧୂଳି, ପ୍ରଦୂଷଣରୁ ରକ୍ଷା କରିଥାଏ। ଧୂମ୍ରପାନ ଯୋଗୁଁ ବହୁ ଶ୍ବାସଜନିତ ରୋଗ ଦେଖିବାକୁ ମିଳିଥାଏ।

ହେଲେ ଲୋକମାନେ ଏବେ ବହୁମାତ୍ରାରେ ସଚେତନ ହେଉଥିବା ନଜରକୁ ଆସୁଛି। ଧୂମ୍ରପାନର ହ୍ରାସ ଘଟିଲେ ଶ୍ବାସଜନିତ ରୋଗୀଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଡା.ମହାନ୍ତି ଆଶାବ୍ୟକ୍ତ କରିଛନ୍ତି। ପରିବେଶବିତ୍ ବିଜୟ ମିଶ୍ରଙ୍କ ମତରେ କୋଭିଡ ପାଇଁ ଲୋକମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତନ ହୋଇଛି। ଲକ୍‌ଡାଉନ୍ ପାଇଁଗାଡ଼ି ଚଳାଚଳ ହ୍ରାସ ପାଇବା ସହିତ ଲୋକମାନଙ୍କ ବାହାରେ ବୁଲିବା ଅଭ୍ୟାସରେ ରୋକ ଲାଗଥିଲା। ୱାର୍କ ଫ୍ରମ୍ ହୋମ୍ ଆରମ୍ଭ ହେବା ସହିତ ଲୋକମାନେ ମାସ୍କ ପିନ୍ଧିଥିଲେ। ପ୍ରଦୂଷଣ କମିଥିଲା। ତେଣୁ ଶ୍ବାସଜନିତ ରୋଗ ହ୍ରାସ ହେବା ପଛରେ କୋଭିଡ ଓ ଏହା ଯୋଗୁଁ ଲୋକମାନେ ସଚେତନ ହେବା ଫଳରେ ଏହାର ସୁଫଳ ମିଳିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର