ଭୁବନେଶ୍ବର : ଆରମ୍ଭ ହୋଇଛି ବନମହୋତ୍ସବ ସପ୍ତାହ। ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଇତି ମଧ୍ୟରେ ବୃକ୍ଷରୋପଣ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସମ୍ବାଦ ସାହିତ୍ୟଘର ତରଫରୁ ସାରା ଓଡ଼ିଶା ଓ ପଡ଼ୋଶୀ ବିଛିନ୍ନାଞ୍ଚଳରେ ବିଗତ ବର୍ଷମାନଙ୍କରେ ବୃକ୍ଷରୋପଣ କରାଯିବା ସହ ସଭ୍ୟସଭ୍ୟାମାନେ ଲଗାଯାଇଥିବା ଗଛଗୁଡ଼ିକର ଯତ୍ନ ନେଇ ଆସୁଛନ୍ତି। ପ୍ରଥମ ବର୍ଷ ୨୦୧୯ରେ ପାଖାପାଖି ୩୦ ହଜାର ଗଛ ଲଗାଯାଇଥିଲା। ଗତବର୍ଷ କରୋନା କଟକଣା ସତ୍ତ୍ବେ ୧୮ ହଜାର ବୃକ୍ଷରୋପଣ ହୋଇଥିଲା।

Advertisment

ସାହିତ୍ୟ ଘରର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ମଧ୍ୟ ଜାରି ରଖିବା। ଇତିମଧ୍ୟରେ କରୋନା କଟକଣା କୋହଳ ହୋଇଛି। ତେଣୁ ସାହିତ୍ୟଘର ଶାଖାଗୁଡ଼ିକ ଅଧିକରୁ ଅଧିକ ବ୍ୟବସ୍ଥିତ ହୋଇ ଅଧିକ ସଂଖ୍ୟକ ଚାରାରୋପଣ କରିବା ଏବେ ସମୟର ଆହ୍ବାନ ଅଟେ। ଏହା ଦ୍ବାରା ପରିବେଶର ଶୁଦ୍ଧତା ଆଣିବା ସହ ଅକ୍ସିଜେନ୍‌ର ପରିମାଣ ମଧ୍ୟ ବୃଦ୍ଧି ହୋଇପାରିବ। ଆସନ୍ତା ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ତେଣୁ ପ୍ରତ୍ୟେକ ଶାଖାର ଉଦ୍ୟୋକ୍ତା ନିଜ ଅଂଚଳର ବନଖଣ୍ଡ ଅଧିକାରୀଙ୍କ ସହାୟତାରେ କିମ୍ବା ନିଜସ୍ବ ପ୍ରଚେଷ୍ଟାରେ ଚାରା ସଂଗ୍ରହ କରି ଏ କାର୍ଯ୍ୟକୁ ସଂପାଦନ କରିବେ। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୋଟ ୩୫୬ଟି ଶାଖାର ସମସ୍ତ ସଦସ୍ୟଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି।