ସମ୍ବଲପୁର: ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ରିଲ୍ସ କହିଲେ ପ୍ରାୟ ସମସ୍ତେ ଜାଣିଥିଲେ। କେବଳ ଜାଣି ନଥିବେ ଅଧିକାଂଶ ରିଲ୍ସ ନିଜେ ମଧ୍ୟ କରୁଥିବେ। ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌, ଆଉ ସୋସିଆଲ୍‌ ମିଡିଆ। ଏସବୁ ଭିତରେ ରିଲ୍ସ ପାଇଁ ଅନେକ ପାଗଳାମି କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ପାଗଳାମି ସମ୍ବଲପୁର ସିଟି ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ଅପରାହ୍ଣ ସମୟରେ ଏକ ମାଲବାହୀ ଟ୍ରେନ୍‌ ଷ୍ଟେସନ୍‌ରେ ଛିଡ଼ା ହୋଇଥିଲା। ଏହାର ସୁଯୋଗ ନେଇ ଜଣେ ନାବାଳକ(୧୭) ଟ୍ରେନ୍‌ ଉପରକୁ ଚଢ଼ି ଯାଇଥିଲେ। ଟ୍ରେନ୍‌ ଉପରେ ଚଢ଼ି ରିଲ୍ସ କରିବାରେ ଲାଗିପଡ଼ିଥିଲେ। ରିଲ୍ସ କରିବା ବେଳେ ଅସାବଧାନତାରୁ ରେଳ ଧାରଣା ଉପରେ ଯାଇଥିବା ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ। ସୂଚନା ପାଇ ସମ୍ବଲପୁର ଆର୍‌ପିଏଫ୍‌ ପକ୍ଷରୁ ନାବଳକଙ୍କୁ ଉଦ୍ଧାର କରାଯାଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Advertisment

ରେଳ ଧାରଣା ଓ ଟ୍ରେନ୍‌ ଉପରେ ଚଢ଼ିବା ଦଣ୍ଡନୀୟ ଅପରାଧ ବୋଲି ରେଳ ବିଭାଗ ପକ୍ଷରୁ ଅନେକ ସମୟରେ ଲୋକଙ୍କ ସଚେତନ କରାଯାଇଛି। ବିପଦ ରହିଥିବା ଜାଣି ମଧ୍ୟ ଅନେକ ଲୋକ ରେଳ ଧାରଣା ଉପରେ ଆସୁଥିବା ଟ୍ରେନ୍‌ ସହିତ ମଧ୍ୟ ରିଲ୍ସ କରିବାକୁ ପଠାଉ ନାହାନ୍ତି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।