ସମ୍ବଲପୁର: ରାଜ୍ୟରେ ଏବେ ନିର୍ବାଚନ ପାଇଁ ପରିବେଶ ତିଆରି ହେଲାଣି। ବିଭିନ୍ନ ଦଳର ନେତାମାନେ ଗାଁ ଗାଁ ବୁଲିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ଆପଣମାନେ ଦାବି ପତ୍ର ଦେଇ ଦେଖନ୍ତୁ। କେତେ ଦିନରେ ସେସବୁ ପୂରଣ ହେଉଛି? ଏମିତି ପ୍ରଶ୍ନ ଫିଙ୍ଗି ଆଜି ଫାଇଭ-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଦଳ ନେତାମାନଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଆଜି ସମ୍ବଲପୁର ଜିଲ୍ଲାରେ ୪ଟି ବିଧାନସଭା କ୍ଷେତ୍ରର ୧୩୪୭ ପ୍ରକଳ୍ପ ନିମନ୍ତେ ୫୮ କୋଟି ଟଙ୍କା ବଣ୍ଟାର ସହାୟତା ରାଶି ମଞ୍ଜୁର କରାଯାଇଛି। ଆଜି ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲୋକଙ୍କୁ ନିଜର ପରିବାର ଭାବେ ଗ୍ରହଣ କରିଛନ୍ତି। ସେ ସବୁ ଲୋକମାନଙ୍କ ଧାର୍ମିକ ଆବଶ୍ୟକତାକୁ ସମ୍ମାନ ଦେଇଥାନ୍ତି। ଏଥିପାଇଁ ହିଁ ସେ ସମ୍ବଲପୁର ଜିଲ୍ଲାର ଏତେ ସଂଖ୍ୟକ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥା କମ୍‌ କୁହନ୍ତି, କିନ୍ତୁ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି। ଏତେ କମ ଦିନ ମଧ୍ୟରେ ଲୋକଙ୍କ ଦରଖାସ୍ତ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ହିଁ ପଦକ୍ଷେପ ନେଇପାରନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ଆଶୀର୍ବାଦ କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ ନିବେଦନ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ଧାର୍ମିକ ଆବଶ୍ୟକତାକୁ ସମ୍ମାନ ଦେଇଥାନ୍ତି

ରେମେଡ଼ ପଡ଼ିଆରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ, କୁଚିଣ୍ଡା କଲେଜ ପଡ଼ିଆରେ ମନ୍ତ୍ରୀ ରୀତା ସାହୁ, ଯୁଯୁମୁରା ହକି ପଡ଼ିଆରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ରେଂଗାଲିର ବିଶାଳଖିଣ୍ଡା ପଡ଼ିଆରେ ମନ୍ତ୍ରୀ ଟୁକୁନି ସାହୁ ଲୋକମାନଙ୍କୁ ୧୩୪୭ ପ୍ରକଳ୍ପ ନିମନ୍ତେ ୫୮ ମଂଜୁରୀ ଆଦେଶ ବଣ୍ଟନ କରିଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସ ଲୋକଙ୍କୁ ସେମାନଙ୍କ ଆପତ୍ତି ଅଭିଯୋଗ ସଂକ୍ରାନ୍ତରେ ଶ୍ରୀ ପାଣ୍ଡିଆନଙ୍କୁ ଭେଟି ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶାର ସମ୍ବଲପୁର ଜିଲ୍ଲା ସମ୍ପାଦକ ଇଂ. ସିଦ୍ଧାର୍ଥ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀ ପାଣ୍ଡିଆନ, ପ୍ରଣବ ପ୍ରକାଶଙ୍କୁ କୃତଜ୍ଞତା ଜଣାଇଥିଲେI ରେମେଡ଼ ଛକ ଠାରେ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସିଦ୍ଧାର୍ଥ ଦାସଙ୍କ ସହ ସମ୍ବଲପୁର ଜିଲ୍ଲା ବିଜେଡି ଉପସଭାପତି ଅଶୋକ ମହାକୁର, ସୁଶାନ୍ତ ପାଣିଗ୍ରାହୀ, ଦିଲୀପ ଦାଶ, ସୀତାକାନ୍ତ ପଣ୍ଡା, ତାପସ ପଲେଇ, ମିତାଲି ସାହୁ, ସୁବର୍ଣ୍ଣ ନାୟକ, ସବିତା ପଣ୍ଡା, ସ୍ବତନ୍ତ୍ର ଉନ୍ନୟନ ପରିଷଧର ଉାପାଧ୍ୟକ୍ଷା ରାଖୀ ମୁଣ୍ଡା, ନାସିର ଫରାଜ, ଲିଙ୍ଗରାଜ ତ୍ରିପାଠୀ, ଭରତ ସୁନା,ଦୀନେଶ ସେଠ, ନିଶିଥ ଆକାଶ ପ୍ରମୁଖ ଉପସ୍ଥିତ ଥିଲେ।