ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ ଓ ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି। ଆଜି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ୍ ଠାରେ ଆୟ‌ୋଜିତ ଆଲୋଚନାଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ‘ସ୍କିଲିଂ ଆଉଟକମ’କୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ ମାନବ ଶକ୍ତି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସ ଉପରେ ଆଲୋକପାତ କରିଥିଲେ ।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ଅନୁଷ୍ଠାନଗୁଡ଼ିକ ସହ ଭାରତର ଭାଗିଦାରୀ ପାଇଁ ଥିବା ଆଗ୍ରହ ଉପରେ ମତପ୍ରକାଶ କରିଥିଲେ। ଉଭୟ ଦେଶରେ ଦକ୍ଷତା ମୂଲ୍ୟାଙ୍କନ, ଯୋଗ୍ୟତା ଏବଂ କୌଶଳ ମାନ୍ୟତା, ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳର ବିକାଶରେ ମିଳିତ ଭାବରେ କାମ କରିବାର ଅପାର ସୁଯୋଗ ରହିଛି । ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ବିକାଶ ଏବଂ ତାଲିମ ମନ୍ତ୍ରୀ ବ୍ରେନଡେନ ଓ’ କୋନ୍ନୋର ସହ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେଇଥିଲେ । ଉଭୟ ମନ୍ତ୍ରୀ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଯୋଗୀ ହେବା ଏବଂ ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏକ ଫଳପ୍ରଦ ଆଲୋଚନା ହୋଇଛି । ଦକ୍ଷତା ବିକାଶରେ ସହଯୋଗକୁ ମଜବୁତ କରିବା ଦିଗରେ ଥିବା ସୁଯୋଗର ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ କୋନ୍ନୋରଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟରେ ଥିବା ଅଟୋମୋଟିଭ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପରିଦର୍ଶନ କରିଥିଲେ । ଏହା ପରେ ମେଲବୋର୍ଣ୍ଣସ୍ଥିତ ଡିକିନ ବିଶ୍ୱବିଦ୍ୟାଳୟ ଗସ୍ତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଶିକ୍ଷାନୁଷ୍ଠାନର ଶିଳ୍ପଭିତ୍ତିକ ଡିଜାଇନ ପାଠ୍ୟକ୍ରମ, ଗବେଷଣା ଡିଗ୍ରି ଉପରେ ବିସ୍ତୃତ ଭାବେ ବୁଝିଥିଲେ। ଏହି ଅବସରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଡିକିନ ବିଶ୍ୱବିଦ୍ୟାଳୟକୁ ଭାରତରେ ଥିବା ସମ୍ଭାବନାକୁ ଅନ୍ବେଷଣ କରିବା ପାଇଁ ସ୍ୱାଗତ କରିଥିଲେ । ଏହାସହ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଏବଂ ଉଭୟ ଦେଶକୁ ଶିକ୍ଷା ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମେକାନିଜିମ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସନ୍ଧ୍ୟାରେ ଶ୍ରୀ ପ୍ରଧାନ ମେଲବୋର୍ଣ୍ଣରେ ରହୁଥିବା ଓଡ଼ିଆ ଓ ଭାରତୀୟଙ୍କ ସହିତ ଆଲୋଚନା କରିଛନ୍ତି। ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନାଚକ୍ରରେ ଭିକ୍ଟୋରିଆନ ସ୍କିଲ୍ସ ଅଥରିଟିର ସିଇଓ କ୍ରେଗ୍ ରୋବର୍ଟସନ, ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟର ସିଇଓ ସାଲ୍ଲି କରଟେନ ଏବଂ ଅଷ୍ଟ୍ରେଲୀୟ ଦକ୍ଷତା ପରିସଂସ୍ଥାନର ନେତୃମଣ୍ଡଳ ଉପସ୍ଥିତ ଥିଲେ।