‘କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ଅସମ୍ଭବ’

ବାରିପଦାରେ ଆଞ୍ଚଳିକ କୃଷି ମହୋତ୍ସବ ଉଦ୍‌ଘାଟିତ

ବାରିପଦା: ବାରିପଦା ଛଉ ପଡ଼ିଆରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆଞ୍ଚଳିକ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ମୟୂରଭଞ୍ଜ ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ନେଇ ଆୟୋଜିତ ଏହି କୃଷି ମହୋତ୍ସବକୁ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦ୍‌ଘାଟନ କରିଥିଲେ। କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ସମ୍ଭବ ନୁହେଁ। ତେବେ ଚାଷ ଉପଯୋଗୀ ଜମି ସୀମିତ। ହେଲେ ଖାଦ୍ୟଦ୍ରବ୍ୟର ଆବଶ୍ୟକତା ଅଧିକ। ତେଣୁ ଏହାକୁ ମୁକାବିଲା କରିବା ନିମନ୍ତେ ଉତ୍ତମ ବୈଷୟିକ ଜ୍ଞାନକୌଶଳ ଓ ଉନ୍ନତ କୃଷି ଯନ୍ତ୍ରପାତି ପ୍ରୟୋଗ ଜରୁରି ହୋଇପଡ଼ିଛି ବୋଲି ଶ୍ରୀ ସ୍ବାଇଁ କହିଥିଲେ। କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଉଦ୍ୟମ କରୁଥିଲେ ବି କେନ୍ଦ୍ର ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆରୋପ ବି ଲଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, କୃଷି ଓ ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅଗ୍ରଣୀ ଚାଷୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖାଦ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଜିଲ୍ଲପାଳ ବିନୀତ ଭରଦ୍ୱାଜ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ଭୁବନେଶ୍ୱର କୃଷି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିଭୁଦେନ୍ଦୁ ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳାରେ ୧୧୫ଟି ଷ୍ଟଲ୍ ଖୋଲାଯାଇଛି। ଏଥିରେ ବିଭିନ୍ନ ଏଗ୍ରୋ ଇଣ୍ଡଷ୍ଟ୍ରିଜ, ବ୍ୟାଙ୍କ, କୃଷକ, ମିଶନ ଶକ୍ତି ଗ୍ରୁପ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୧୦ ତାରିଖରେ ଏହି ମେଳା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର