ନୂଆଦିଲ୍ଲୀ: ଆଜିଠାରୁ ସଂସଦ ଭବନ ପରିସରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘର  ଭାରତୀୟ ଆଞ୍ଚଳିକ ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସମେତ ଦେଶର ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଇଛନ୍ତି। 

Advertisment

ପ୍ରଥମ ଦିବସରେ ସମ୍ମିଳନୀର ଅଧ୍ୟକ୍ଷତା କରି ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କହିଲେ, ଏକ ଆତ୍ମନିର୍ଭରଶୀଳ ତଥା ବିକଶିତ ଭାରତ ଗଠନ ବିଧାନସଭା ଅନୁଷ୍ଠାନର ସହଯୋଗ ଓ ସମର୍ଥନ ବିନା ସମ୍ଭବ ନୁହେଁ। ସୂଚନା ଓ ପ୍ରଯୁକ୍ତିର ଉପଯୋଗ ଜରିଆରେ ଜନପ୍ରତିନିଧିମାନେ ବିଭିନ୍ନ ଫୋରମ୍‌ରେ ଆଲୋଚନା କରିବା ତଥା ପ୍ରଯୁକ୍ତି ମାଧ୍ୟମରେ ସମାଜର ଶେଷ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ଜନ କଲ୍ୟାଣ ‌ଯୋଜନା ଗଠନ କରିବା ଉଚିତ। ଗାଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ କାର୍ଯ୍ୟବାହିକାମାନଙ୍କର ଉତ୍ତରଦାୟିତ୍ବ ଓ ସ୍ବଚ୍ଛତା ନିଶ୍ଚିତ କରିବାକୁ ତଥା ଶାସନକୁ ଅଧିକ ପ୍ରତିକ୍ରିୟାଶୀଳ ଓ ଦକ୍ଷ କରିବାକୁ ସେ ଅନୁରୋଧ କରିଛନ୍ତି।

ବିଧାନସଭାଗୁଡ଼ିକର କାର୍ଯ୍ୟକୁଶଳତା ଓ କାର୍ଯ୍ୟପ୍ରଣାଳୀ ସୁଧାରରେ ସୂଚନା ପ୍ରଯୁକ୍ତିର ଉପଯୋଗ ଉପରେ ଶ୍ରୀ ବିର୍ଲା ବିଶେଷ ଗୁରୁତ୍ବ ଦେବା ପାଇଁ ଆହ୍ବାନ ଦେଇଛନ୍ତି। ‌ଦେଶର ସମସ୍ତ ପିଠାସୀନ ଅଧିକାରୀଙ୍କୁ ଏହି ସମ୍ମିଳନୀର ଆଲୋଚନା ନୂଆ ଦିଶା ଓ ଦୃଷ୍ଟିଭଙ୍ଗୀ ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଆସନ୍ତାକାଲି ସମ୍ମିଳନୀର ଅନ୍ତିମ ଦିବସରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ସମ୍ମିଳନୀ କାର୍ଯ୍ୟସୂଚୀରୁ ଜଣାପଡ଼ିଛି।