ପାରମ୍ପରିକ କଳାକାରଙ୍କ ତଥ୍ୟ ପ୍ରସ୍ତୁତ ହେବ

ଭୁବନେଶ୍ବର : ପାରମ୍ପରିକ କଳାକାରଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରସ୍ତୁତ ହେବ। ଅଭିଜ୍ଞତା, ବୟସ, ଲିଙ୍ଗଗତ ଆଧାରରେ ତଥ୍ୟ ସଂଗ୍ରହ ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଏହି ତଥ୍ୟ ସଂଗ୍ରହ ପାଇଁ ନିର୍ଦେଶ ଦିଆଯାଇଛି। ତଥ୍ୟ ଆସିବା ପରେ ସେସବୁକୁ ଏକ ୱେବସାଇଟରେ ଅପଲୋଡ କରାଯିବ। ତୃଣମୂଳସ୍ତରୁ କଳାକାରମାନଙ୍କୁ ଯୋଡ଼ିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହି ପଦକ୍ଷେପ ନେଇଛି।

ସଂପ୍ରତି ରାଜ୍ୟରେ ୪୭୧ଟି ଲୋକକଳା ରହିଛି। ୧୦ ହଜାର ଲୋକକଳା ଦଳ ଅଛନ୍ତି। ରାଜ୍ୟର ୩୧୪ ବ୍ଲକରେ ୩୧୪ ବ୍ଲକ କଳା ସଂସ୍କୃତି ସଂଘ, ୨୪ଟି ନଗର କଳା ସଂସ୍କୃତି ସଂଘ ଓ ସମସ୍ତ ଜିଲ୍ଲାରେ ଜିଲ୍ଲା କଳା ସଂସ୍କୃତି ସଂଘ ରହିଛି। ଏହା ଜରିଆରେ ଏପର୍ଯ୍ୟନ୍ତ ୧ଲକ୍ଷ ୬୧ ହଜାର କଳାକାର ଉପକୃତ ହେଉଛନ୍ତି। ତେବେ ୫-ଟି କାର୍ଯ୍ୟକ୍ରମକୁ ପାଥେୟ କରି ଏପରି ତଥ୍ୟ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି।

ଏହି ତଥ୍ୟ ଚଳିତ ବର୍ଷ ମେ’ ୩୧ ସୁଦ୍ଧା ପ୍ରସ୍ତୁତି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲେ ହେଁ ଲକ୍‌ଡାଉନ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ତେଣୁ ଏହାର ସମୟ ସୀମାକୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବିଭିନ୍ନ କଳା ସଂଘକୁ ସମୀକ୍ଷା ପୂର୍ବକ ତଥ୍ୟ ଦେବାକୁ ନିର୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସ‌ୁଦେବ ମାଲବିଶୋଇ କହିଛନ୍ତି, ପ୍ରଥମତଃ ୫-ଟି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ସ୍ବଚ୍ଛତା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ଜରିଆରେ ଟିକିନିଖି ତଥ୍ୟକୁ ବିଚାର କରି କିଛି ଅଭିଜ୍ଞ କଳାକାରଙ୍କୁ ଆହୁରି ଦକ୍ଷ ହେବା ପାଇଁ ବାହାରକୁ ପଠାଯାଇପାରିବ। ଲୋକେ ବି ସମସ୍ତ କଳାକାରଙ୍କ ସମ୍ବନ୍ଧରେ ଜାଣିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର