ଧରାପଡ଼ିଲା ଚକ୍ରାନ୍ତ : ଶିଳ୍ପକେନ୍ଦ୍ର କାର୍ଯ୍ୟାଳୟ ସ୍ଥାନାନ୍ତର ନହେବାରୁ ଦରମା ବନ୍ଦ, ଏପ୍ରିଲ୍‌ଠାରୁ ଦରମା ପାଇନାହାନ୍ତି ସବୁ କର୍ମଚାରୀ

ଯଖପୁରା : କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର କାର୍ଯ୍ୟାଳୟ ପାଇଁ ବ୍ୟାସନଗରଠାରେ ନିର୍ମିତ ନୂତନ ଗୃହ ଭୂତକୋଠିରେ ପରିଣତ ହୋଇଛି। ଏଠାରୁ ୮୦କିମି ଦୂର କଟକ ଜିଲ୍ଲାର ଜଗତପୁର ଠାରେ ଦୀର୍ଘଦିନ ହେଲା ଏହି କାର୍ଯ୍ୟାଳୟ କାମ କରୁଛି। ଏପରିକି ଯାଜପୁର ଜିଲ୍ଲା ଗଠନ ହେବା ସତ୍ତ୍ବେ ଏହି କାର୍ଯ୍ୟାଳୟ ସ୍ଥାନାନ୍ତର କରି ନ ଦେବାକୁ କେତେକ ସୁବିଧାବାଦୀ ଅଧିକାରୀ ଓ କର୍ମଚାରୀ ବିଧିବଦ୍ଧ ଚକ୍ରାନ୍ତ ଜାରି ରଖିଛନ୍ତି। ଏହି ଚକ୍ରାନ୍ତ ଜଣାପଡ଼ିବା ପରେ ସ୍ଥାନାନ୍ତର ପାଇଁ ଶିଳ୍ପ ବିଭାଗର ଉପ‌ନିର୍ଦ୍ଦେଶକ ବାରମ୍ବାର ତାଗିଦ କରିଥିଲେ। ଏହାସତ୍ତ୍ବେ ଅଧିକାରୀ କର୍ଣ୍ଣପାତ ନକରିବାରୁ ସେମାନଙ୍କ ଦରମା ବନ୍ଦ କରିଛନ୍ତି।

କଳିଙ୍ଗନଗର ଶିଳ୍ପାଞ୍ଚଳ ବିଶ୍ଵ ମାନଚିତ୍ରରେ ଷ୍ଟିଲ୍ ହବ୍‌ର ମାନ୍ୟତା ପାଇଛି। ଏଠାରେ ଅନେକ ଗୁଡ଼ିଏ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗଢ଼ି ଉଠିବ ବୋଲି ଆକଳନ କରି କଳିଙ୍ଗନଗରରେ ଏକ ଆଞ୍ଚଳିକ ଶିଳ୍ପକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ହେଲେ କଳିଙ୍ଗନଗରରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି କାର୍ଯ୍ୟାଳୟ କଟକ ଜିଲ୍ଲା ଅନ୍ତର୍ଗତ ଜଗତପୁରଠାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଛି। ବିଭାଗୀୟ ଉଦାସୀନତା ପାଇଁ କଳିଙ୍ଗନଗରର ଉଦ୍ୟୋଗୀମାନଙ୍କୁ ବାରମ୍ବାର ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଜଗତପୁର ଦୌଡ଼ିବାକୁ ପଡ଼ୁଛି। ଅନ୍ୟପକ୍ଷରେ ତିନି ବର୍ଷରୁ ଅଧିକ ସମୟ ହେଲାଣି ଇଡ୍‌କୋ ଦ୍ଵାରା ବ୍ୟାସନଗର ଠାରେ ଏହି କାର୍ଯ୍ୟାଳୟ ପାଇଁ ନୂତନ ଗୃହ ନିର୍ମାଣ ସରିଲାଣି। ହେଲେ ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଅଧିକାରୀମାନେ କାର୍ଯ୍ୟାଳୟ ସ୍ଥାନାନ୍ତର କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏନେଇ ୨୧/୩/୨୦୧୭ତାରିଖ ରେ ଚିଠି ନମ୍ବର ୨୮୪୨ ଏବଂ ୧୪/୧୧/୨୦୧୮ ତାରିଖରେ ଚିଠି ନମ୍ବର ୧୧୦୪୭ ରେ ଇଡ୍‌କୋ ପକ୍ଷରୁ ଦୁଇ ଦୁଇ ଥର ଆଞ୍ଚଳିକ ଶିଳ୍ପକେନ୍ଦ୍ର ଅଧିକାରୀଙ୍କୁ ନବନିର୍ମିତ ଗୃହ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଣିଥରେ ଗତ ୭/୩/୨୦୧୯ ତାରିଖରେ ଇଡ୍‌କୋ ଯାଜପୁରରୋଡ ଡିଭିଜନ ପକ୍ଷରୁ ଚିଠି କରାଯାଇଥିଲା। ଅଫିସ ମେମୋ ନମ୍ବର ୧୨୭୧୬ ଏବଂ ଚିଠି ନମ୍ବର ୨୪୬ରେ ତାଗିଦ କରାଯାଇଥିଲା। ବାରମ୍ବାର ଚିଠି ପରେ ବି ଏହି ଗୃହକୁ ନିଜ ହାତକୁ ନେବାରେ ଆଗ୍ରହ ନ ଦେଖାଇବା ପଛରେ ଆଞ୍ଚଳିକ ଶିଳ୍ପକେନ୍ଦ୍ର ଅଧିକାରୀ ମାନଙ୍କର ଦୁଇଟି ଉଦ୍ଦେଶ୍ୟ ରହିଥିବା ଅଭିଯୋଗ ହେଉଛି। ଗୋଟିଏ ହେଲା ଜଗତପୁର ଠାରେ କାର୍ଯ୍ୟାଳୟ ରହିବା ଦ୍ବାରା ଅଧିକାରୀ ଓ କର୍ମଚାରୀ ୨୦ ପ୍ରତିଶତ ଘର ଭଡ଼ା ନିଜ ଘରେ ରହି ହାତଉଛନ୍ତି। କାର୍ଯ୍ୟାଳୟକୁ କାଁ ଭାଁ ଆସି ଦରମା ନେଉଛନ୍ତି। ଏହି ସବୁ ଫାଇଦାରୁ ବଞ୍ଚିତ ହେବା ଭୟରେ କର୍ମଚାରୀ କାର୍ଯ୍ୟାଳୟ ସ୍ଥାନାନ୍ତରରେ ବାଧକ ସାଜିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଗତ ୧୬/୫/୨୦୧୯ ତାରିଖରେ ଶିଳ୍ପ ଉପନିର୍ଦ୍ଦେଶକ ଆର୍‌ଆଇସିର ମହାପ୍ରବନ୍ଧକଙ୍କୁ ତୁରନ୍ତ ଯାଜପୁରରୋଡର ଚାନ୍ଦମାସ୍ଥିତ ନବ ନିର୍ମିତ ଗୃହକୁ ନିଜ ହାତକୁ ନେବା ଏବଂ ଇଡକୋକୁ ଗୃହ ହସ୍ତାନ୍ତର କରିବା ପାଇଁ ତାଗିଦ୍ କରିଥିଲେ। ହେଲେ ଏହାକୁ ନମାନିବାରୁ ଶିଳ୍ପ ନିର୍ଦ୍ଦେଶକ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଦରମା ଗତ ଏପ୍ରିଲ ମାସ ଠାରୁ ବନ୍ଦ କରିଦେଇଛନ୍ତି।

ଅନ୍ୟପକ୍ଷରେ, କଳିଙ୍ଗନଗର ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟାଳୟକୁ ତୁରନ୍ତ ସ୍ଥାନାନ୍ତର ନକଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କଳିଙ୍ଗନଗରର ବହୁ ସଂଗଠନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର