ବ୍ରହ୍ମପୁର/ଗୋପାଳପୁର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ ସମ୍ମିଳନୀ କକ୍ଷଠାରେ ଆଜି ଆଂଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦକ୍ଷିଣାଂଚଳ ରାଜସ୍ବ କମିସନର ଟି.ଆପାଙ୍ଗ ଆଓ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ୍ର ଜେ. ଚକ୍ରପାଣି ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଓଡ଼ିଶା ପ୍ରାନ୍ତର ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ ଏହାର ସଭାପତିତ୍ବ କରିଥିଲେ। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି କାର୍ଯ୍ୟକ୍ରମ ରୂପାୟନରେ ଥିବା ତ୍ରୁଟିବିଚ୍ୟୁତିକୁ ମଧ୍ୟ ଲୋକଲୋଚନକୁ ଆଣି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି। ଗ୍ରାମୀଣ ସାମ୍ବାଦିକମାନେ ଲୋକତନ୍ତ୍ରକୁ ସମୃଦ୍ଧ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ଅବସରପାପ୍ତ ପ୍ରାଧ୍ୟାପକ ଡ.ପ୍ରଦୀପ ମହାପାତ୍ର ଯୋଗ ଦେଇ ଇଣ୍ଟରନେଟ୍ ଓ ସ୍ମାର୍ଟ ଫୋନ୍ର ବହୁଳ ବ୍ୟବହାର ସହ ଆଧୁନିକ ଜନଜୀବନ କିଭଳି ଗଣମାଧ୍ୟମ ଅଭିମୁଖୀ ହୋଇଛି ତାହା ଉପସ୍ଥାପନ କରିଥିଲେ। ସାମାଜିକ ଗଣମାଧ୍ୟମର ବିଶ୍ବସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଏଥିରେ ଯେକୌଣସି ଖବର ତ୍ବରିତ ବେଗରେ ଲୋକଙ୍କ ପାଖରେ ପହଁଚୁଥିବାରୁ ଅନ୍ୟ ଗଣମାଧ୍ୟମ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ନିଜର ସ୍ଥିତିକୁ ବଜାୟ ରଖିବାକୁ ହେଲେ ଏଭଳି ଖବରକୁ ଭିନ୍ନ ଢଙ୍ଗରେ ପରିବେଷଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତିଟି ଖବରର ଗଭୀର ଅନୁଶୀଳନ ସହ ମାନିବକ ଆବେଗ ସମ୍ପର୍କିତ ଖବରକୁ ସ୍ଥାନୀତ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ଆକାଶବାଣୀ କାର୍ଯ୍ୟକ୍ରମ ମୁଖ୍ୟ ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇଥିଲେ।
ଆୟୋଜକ ଅନୁଷ୍ଠାନର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ବାଗତ ଭାଷଣ ପ୍ରଦାନ, ଆଂଚଳିକ ଜନସମ୍ପର୍କ ବ୍ୟୁରୋ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ। କ୍ଷେତ୍ରପ୍ରଚାର ଅଧିକାରୀ ମନମୋହନ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ କର୍ମଶାଳାରେ ଯୋଗ ଦେଇ ସରକାରଙ୍କ ଯୋଜନା ସମ୍ପର୍କରେ ଉପସ୍ଥିତ ଅଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଶେଷରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ସାଧାରଣ େଲାକଙ୍କ ଭାବନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପିଆଇବି ଉପନିର୍ଦ୍ଦେଶକ ସତ୍ୟନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।