ଭୁବନେଶ୍ୱର: ସଂଘୀୟ ବ୍ୟବସ୍ଥାରେ ଆଞ୍ଚଳିକ ଦଳର ଆବଶ୍ୟକତା ନିହାତି ଜରୁରି। କ୍ଷମତାର ବିକେନ୍ଦ୍ରୀକରଣ ନହେଲେ, ତୃଣମୂଳ ସ୍ତରରେ ବିକାଶ ପହଞ୍ଚି ପାରିବନି। ଜାତୀୟ ଦଳ ଶାସନକୁ ଆସିଲେ ରାଜ୍ୟ ଅବହେଳିତ ହେବ। ରାଜ୍ୟରେ ଅର୍ଥନୈତିକ ଅସ୍ଥିରତା ଦେଖାଦେବ। କେନ୍ଦ୍ର ସିନା ଧନୀ ହେବ, କିନ୍ତୁ ରାଜ୍ୟ ଗରିବ ହୋଇ ଚାଲିବ। ଅପରପକ୍ଷରେ ଆଞ୍ଚଳିକ ଦଳମାନେ ଦୃଢ଼ ନେତୃତ୍ବ ଓ ସ୍ପଷ୍ଟ ଏଜେଣ୍ଡା ସହ ଆଗକୁ ଆସନ୍ତୁ। ଆଞ୍ଚଳିକ ଦଳ ଗଠନର ଆଭିମୁଖ୍ୟ ସ୍ପଷ୍ଟ ହେଉ। କେନ୍ଦ୍ରରେ ନିଜର ହକ୍ ଉପସ୍ଥାପନ ଶୈଳୀ ସଶକ୍ତ ହେଉ। ନଚେତ୍ ଆଞ୍ଚଳିକ ଦଳଗୁଡ଼ିକ ଭୁଶୁଡ଼ିବାକୁ ଅଧିକ ଦିନ ଲାଗିବନି। ଆଜି ଓଡ଼ିଶା ଡାଇଲଗ୍ ପକ୍ଷରୁ ‘ସଂଘୀୟ ବ୍ୟବସ୍ଥା ଓ ଆଞ୍ଚଳିକ ଦଳର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ ମନ୍ତ୍ରୀ, ବରିଷ୍ଠ ରାଜନେତା, ବରିଷ୍ଠ ସାମ୍ବାଦିକମାନେ ଏଭଳି ମତ ଦେଇଛନ୍ତି। ଆଜି ଗୀତଗୋବିନ୍ଦସଦନଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ସେଣ୍ଟର୍ ଫର୍ ପଲିସି ରିସର୍ଚ୍ଚର ମୁଖ୍ୟ ନିର୍ବାହୀ ଯାମିନୀ ଆୟର କହିଥିଲେ, ଆମର ସଂଘୀୟ ବ୍ୟବସ୍ଥା ଅନନ୍ୟ। ଆମ ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ଭିନ୍ନତା ଭିତରେ ଏକତା। ବିଭିନ୍ନ ରାଜ୍ୟର  ଭାଷା, ପରମ୍ପରା ଭିନ୍ନ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜାତୀୟ ଦଳ ସହ ସବୁ ଆଞ୍ଚଳିକ ଦଳକୁ ସମାନ ଅଧିକାର ମିଳିଛି। ଏବେ ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହୋଇଗଲାଣି। ଅର୍ଥନୈତିକ ଦୃଷ୍ଟିକୋଣରୁ ସବୁ ଭାରତୀୟ ସମାସ୍କନ୍ଧ ହେବା ଆବଶ୍ୟକ। କିନ୍ତୁ କ୍ଷମତାର କେନ୍ଦ୍ରୀକରଣ ଫଳରେ ତୃଣମୂଳ ବ୍ୟବସ୍ଥା ଅବହେଳିତ। ଅର୍ଥ କମିସନ୍ ଅର୍ଥ ଖର୍ଚ୍ଚ ନ ହୋଇପାରି ଫେରିଯାଏ। 

Advertisment

ଓଡ଼ିଶା ରାଜନୀତିରେ ୨୦୨୬ ନିର୍ଣ୍ଣାୟକ ବର୍ଷ ହେବ: ବିଜୟ
କ୍ରୀତଦାସଙ୍କୁ ନେଇ ଆଞ୍ଚଳିକ ଦଳ ଚାଲେନି: ସୌମ୍ୟରଂଜନ
ଜାତୀୟ ଦଳ ଶାସନକୁ ଆସିଲେ ରାଜ୍ୟ ଲୁଣ୍ଠିତ ହୁଏ: ପ୍ରଫୁଲ୍ଲ

ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ସିଇଓ ବିଜୟ ମହାଜନ କହିଛନ୍ତି, ବିକାଶ ପାଇଁ ଆଞ୍ଚଳିକ ଦଳ ସହ ଜାତୀୟ ଦଳ ସୁସଂପର୍କ ରଖିବାକୁ ପଡ଼ିବ। ୨୫ ବର୍ଷ ଧରି ଏକ ଆଞ୍ଚଳିକ ଦଳ ଓଡ଼ିଶାକୁ ଶାସନ କରୁଥିଲା। କିନ୍ତୁ ଓଡ଼ିଶାରେ ସେତେଟା ବିକାଶ ହୋଇପାରିନି। ଓଡ଼ିଶା ଜନସଂଖ୍ୟାରେ ସାରା ଦେଶରେ ୧୧ତମ ସ୍ଥାନରେ ଥିବାବେଳେ ଜିଡିପିରେ ୧୫ତମ, ମୁଣ୍ଡପିଛା ଆୟରେ ୨୧ତମ ଓ ହ୍ୟୁମାନ୍ ଡେଭ୍‌ଲପ୍‌ମେଣ୍ଟ ଇଣ୍ଡେକ୍ସରେ ୩୨ତମ ସ୍ଥାନରେ ରହିଛି। ଓଡ଼ିଶା ଜଙ୍ଗଲ, ଜଳ ଓ ଜମିରେ ଭରପୂର। କିନ୍ତୁ ଯେଉଁଭଳି ଏହା ବିଲୋପ ପାଉଛି, ୧୦ ବର୍ଷ ପରେ ଏଠାରେ ଦିଲ୍ଲୀ ଭଳି ସ୍ଥିତି ହେବ। ଆଞ୍ଚଳିକ ଦଳମାନେ କେନ୍ଦ୍ରରେ ଦୃଢ଼ ଭାବେ ଦାବି ଉପସ୍ଥାପନ କରିବା ଜରୁରି। ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ, ଆଞ୍ଚଳିକ ଦଳ ବିନା ସଂଘୀୟ ବ୍ୟବସ୍ଥା ମୂଲ୍ୟହୀନ। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ବି ଆଞ୍ଚଳିକ ଦଳର ଆବଶ୍ୟକତାକୁ ସମର୍ଥନ କରି କହିଥିଲେ, ୧୯୫୫ରୁ ୧୯୭୮ ମସିହା ଭିତରେ ଓଡ଼ିଶାକୁ ଘୋର ଅବହେଳା କରାଯାଇଥିଲା। ୬ ଥର ରାଷ୍ଟ୍ରପତି ଶାସନ ହୋଇଥିଲା। ଏହି ଅବହେଳା ଆଞ୍ଚଳିକ ଦଳକୁ ଜନ୍ମ ନେବାକୁ ବାଧ୍ୟ କରିଥିଲା। କିନ୍ତୁ ଆଞ୍ଚଳିକ ଦଳମାନେ ନିଜ ପରିଚୟକୁ ନଷ୍ଟ କରିଦେଲେ। ଅଂହକାରୀ ହୋଇଗଲେ। ପରିଣାମ ସ୍ବରୂପ ପୂର୍ବ ସରକାର ବିପୁଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ବର୍ତ୍ତମାନର ସରକାର ପ୍ରତି ଲୋକଙ୍କ ବିଶ୍ବାସ ଭାଙ୍ଗିବା ଆରମ୍ଭ ହେଲାଣି, କିନ୍ତୁ ଆସ୍ଥା ଏବେ ବି ଅଛି। କାରଣ, ଏହା ୧୫ ମାସର ସରକାର। କିନ୍ତୁ ଓଡ଼ିଶା ରାଜନୀତିରେ ୨୦୨୬ ଏକ ନିର୍ଣ୍ଣାୟକ ବର୍ଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ, ପଞ୍ଚାୟତ ନିର୍ବାଚନ, ରାଷ୍ଟ୍ରପତି ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। 

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଥିଲେ, ଅର୍ଥ କମିସନ୍ ଅନୁଦାନ ଦେବା କ୍ଷେତ୍ରରେ ଯେଉଁ ସର୍ତ୍ତ ରଖନ୍ତି, ସବୁ ସର୍ତ୍ତ ରାଜ୍ୟମାନେ ଅନୁପାଳନ କରିବା କଷ୍ଟକର। ଅର୍ଥ କମିସନ୍ ବି ଯେତିକି ଅର୍ଥ ଅନୁମୋଦନ କରନ୍ତି, ସେତିକି ଅନୁଦାନ ରାଜ୍ୟକୁ ଆସେନି। ଲୋକଙ୍କୁ ମାଗଣା ଜିନିଷ ଦେଲେ, କେବେ ବି ସେମାନଙ୍କ ଆର୍ଥିକ ଉନ୍ନତି ହେବନି। ଜାତୀୟ ଦଳ ଶାସନକୁ ଆସିଲେ, ରାଜ୍ୟଗୁଡ଼ିକ ନ୍ୟାୟ ପାଇବେନି, ଲୁଣ୍ଠିତ ହେବେ। ଅର୍ଥନୀତିରେ ଅସମାନତା ଦେଖାଦେବ। ଓଡ଼ିଶା ବଦଳରେ ବିହାର, ଆନ୍ଧ୍ର ଭଳି ରାଜ୍ୟ ଅନୁଦାନ ପାଇବେ। ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଯେବେ ବି ଆଞ୍ଚଳିକ ଦଳ ଗଠନ ହୋଇଛି, ତାହା ବ୍ୟକ୍ତିକୈନ୍ଦ୍ରିକ ହୋଇ ରହିଯାଇଛି। କ୍ରୀତଦାସଙ୍କୁ ନେଇ କେବେ ବି ଆଞ୍ଚଳିକ ଦଳ ଚାଲେନି। ପାର୍ଟି ଫଣ୍ଡ୍ ଦେଉଥିବା ଲୋକଙ୍କୁ ନେତା ବାଛିଲେ, ଦଳ ବଞ୍ଚେନି। ସଂଘୀୟ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ମୁଦ୍ରାର ଦୁଇପାର୍ଶ୍ବ। କିନ୍ତୁ ବର୍ତ୍ତମାନ ସଂଘୀୟ ବ୍ୟବସ୍ଥାରେ ଆଞ୍ଚଳିକ ଦଳକୁ ହତ୍ୟା ଚାଲିଛି। ଆଞ୍ଚଳିକ ଦଳକୁ ଦୃଢ଼ ନେତୃତ୍ବର ଆବଶ୍ୟକତା ରହିଛି। ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଲେ, ସଂଘୀୟ ବ୍ୟବସ୍ଥାରେ କ୍ଷମତାର ବିକେନ୍ଦ୍ରୀକରଣ ଫଳରେ ରାଜ୍ୟରୁ ଆୟ କେନ୍ଦ୍ରକୁ ଯାଉଛି ସତ, କିନ୍ତୁ କେନ୍ଦ୍ରରୁ ରାଜ୍ୟକୁ ଅନୁଦାନ ଆସୁନି। ସେସ୍ ଓ ଅନ୍ୟାନ୍ୟ ଅର୍ଥ ବାବଦ ଅନୁଦାନ ରାଜ୍ୟ ପାଉନି। ଆଲୋଚନାଚକ୍ରରେ ସିପିଆଇଏମ୍ ନେତା ସନ୍ତୋଷ ଦାସ, ବିଜେଡି ନେତ୍ରୀ ଲତିକା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଡାଇଲଗ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ରାଜେଶ ମହାପାତ୍ର ଆଲୋଚନାଚକ୍ର ପରିଚାଳନା କରିଥିଲେ।