ରାଉରକେଲା: ରାଉରକେଲା ସହରରେ ପ୍ରଥମ ଥର ପାଇଁ ଆଞ୍ଚଳିକ ସରସ ମେଳା ଆୟୋଜନ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ୍ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହେବାକୁ ଥିବା ଏହି ମେଳା ୨୦୨୩ ଜାନୁଆରି ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ଏହି ମେଳାକୁ ସଫଳ କରିବା ପାଇଁ ବୁଧବାର ଦିନ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଆଞ୍ଚଳିକ ସରସ ମେଳା ଆୟୋଜନ ନେଇ ରାଉରକେଲା ମହାନଗର ନିଗମର କନଫରେନ୍ସ ହଲଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଏହି ମେଳାକୁ ସଫଳ କରିବା ଲାଗି ବିଭିନ୍ନ ବିଭାଗର ସହଯୋଗ ଲୋଡ଼ିଥିଲେ। ଜାନୁଆରି ମାସରେ ପୁରୁଷ ହକି ବିଶ୍ୱକପ ହେବ। ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଦେଖିବା ପାଇଁ ବିଭିନ୍ନ ରାଜ୍ୟ ସହିତ ବିଦେଶରୁ ବହୁ ଦର୍ଶକ ରାଉରକେଲା ଆସିବେ। ତେଣୁ ଏହି ସମୟରେ ଆଞ୍ଚଳିକ ସରସ ମେଳା ହେବାକୁ ଯାଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଜିଲ୍ଲାପାଳ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମେଳାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହିତ ପାର୍କିଂ, ଟ୍ରାଫିକ ପରିଚାଳନା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ଆଦି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଉରକେଲା ସହରର ଭଞ୍ଜଭବନ ପ୍ରଦର୍ଶନୀ ପଡ଼ିଆଠାରେ ଏହି ସରସ ମେଳା ଆୟୋଜନ କରାଯିବ। ଏଥିରେ ୨୫୦ରୁ ଅଧିକ ଷ୍ଟଲ ପଡ଼ିବ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ସହିତ ଜିଲ୍ଲା ବାହାରର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯିବ। ରାଜ୍ୟ ବାହାରୁ ମଧ୍ୟ ପ୍ରମୁଖ ମହିଳା ସ୍ୱୟଂ ସହା୍ରକ ଗୋଷ୍ଠୀମାନେ ଏହି ମେଳାକୁ ଆସିବେ। ତା’ଛଡ଼ା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯିବ। ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଏବଂ ପଞ୍ଚାୟତିରାଜ ବିଭାଗର ଷ୍ଟଲ୍ ମଧ୍ୟ ଏଥିରେ ସ୍ଥାନ ପାଇବ। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟୱାନ ମହାଜନ, ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜୟ କର, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ମୁଖ୍ୟ ପରିଚାଳକ ବିଭାବସୁ ମଲ୍ଲିକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।