ଗାଡ଼ି କାଗଜପତ୍ର ନିୟମିତ କରିବାରେ ସହଯୋଗ କରିବ ପରିବହନ ବିଭାଗ: ଛୁଟିଦିନରେ ଖୋଲା ରହିବ କାର୍ଯ୍ୟାଳୟ, ଖୋଲିବ ଅତିରିକ୍ତ କାଉଣ୍ଟର

ଭୁବନେଶ୍ୱର: ଗତକାଲି ନୂଆ ମୋଟରଯାନ ଆଇନ ଆଧାରରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ୩ମାସ ଲାଗି କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା। ଆଜି ସେ ନେଇ ପଦକ୍ଷେପ ଗ୍ରହଣ କରାଯିବା ଆରମ୍ଭ ହୋଇଛି।

ମଙ୍ଗଳବାର ସଚିବାଳୟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ପରିବହନ ସଚିବ ଜି.ଶ୍ରୀନିବାସ ବିଭିନ୍ନ ଜିଲ୍ଲାର ଆର୍‌ଟିଓମାନଙ୍କ ସହିତ ଆଲୋଚନା କରିଥିଲେ। ୩ମାସ ଲାଗି କାଗଜପତ୍ର ଯାଞ୍ଚକୁ କୋହଳ କରିବାକୁ ସୂଚାଇବା ସହ ଗାଡ଼ିଚାଳକମାନଙ୍କୁ କାଗଜପତ୍ର ନିୟମିତ କରିବା ଦିଗରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି। ଜନସାଧାରଣ ଯେଭଳି ପରିବହନ କାର୍ଯ୍ୟଳୟ ନିକଟରେ ଦଲାଲଙ୍କ ହାବୁଡରେ ନ ପଡ଼ନ୍ତି, ସେଥିଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଉଛି।

ଅନ୍ୟପକ୍ଷରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ଯେ ଏହି ୩ମାସର ଯାଞ୍ଚ କୋହଳ ମଧ୍ୟରେ ଲୋକଙ୍କୁ ସହାୟତା ଲାଗି ବିଭିନ୍ନ ସ୍ଥାନରେ ଆର୍‌ଟିଓ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ କାଉଣ୍ଟର ଖୋଲାଯିବ। ଛୁଟିଦିନମାନଙ୍କରେ ମଧ୍ୟ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ କାଉଣ୍ଟର ସେବା ଯୋଗାଇବେ।

ଭୁବନେଶ୍ୱର-କଟକ ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ ଗାଡ଼ିଚାଳକଙ୍କୁ ସଚେତନ କରାଇ ୩ମାସ ମଧ୍ୟରେ ଗାଡ଼ିର ସମସ୍ତ କାଗଜପତ୍ର ଆଇନ ମୁତାବକ ନିୟମିତ କରାଇ ନେବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର