୩୧ ତାରିଖ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କୁ ପଞ୍ଜୀକରଣ କରାଅ

ଭୁବନେଶ୍ବର : କୋଭିଡ୍‌-୧୯ର ଲକ୍‌ଡାଉନ୍ ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକମାନେ। ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ନିର୍ମାଣ ଶ୍ରମିକ ଓଡ଼ିଶା ଫେରିଛନ୍ତି। କାମ ମିଳୁ ନ ଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ଯୋଗାଇବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକମାନଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୩୧ ସୁଦ୍ଧା‌ ଏହି କାମ ସାରିବାକୁ ତାରିଖ ଧାର୍ଯ୍ୟ ହୋଇଛି।

ଆଜି ଶ୍ରମ ବିଭାଗର ସଚିବ ଅନୁ ଗର୍ଗ ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ‌େଲଖି ଅବଗତ କରାଇଛନ୍ତି। ଚିଠିରେ ଦର୍ଶାଯାଇଛି ଯେ ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ମହାମାରୀ ସମୟରେ ପ୍ରାୟ ୮.୨୪ ଲକ୍ଷ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ସ୍କିଲ୍‌ ମ୍ୟାପିଂ ପରେ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ପ୍ରାୟ ୧.୪ ଲକ୍ଷ ଲୋକ ଦିନ ମଜୁରିଆ। ସେମାନେ ନିର୍ମାଣ କ୍ଷେତ୍ରରେ କାମ କରନ୍ତି। କୋଭିଡ୍‌ ମହାମାରୀ ପାଇଁ ସର୍ବାଧିକ ଦୁର୍ଦ୍ଦଶାରେ ଥିବା ଏହି ନିର୍ମା‌ଣ ଶ୍ରମିକମାନଙ୍କ ନିମନ୍ତେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ମିସନ୍ ମୋଡ୍‌ ପ୍ରକଳ୍ପ ଉପରେ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ମୁଖ୍ୟତଃ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବା, ‌େଯଉଁମାନଙ୍କ ନାମ ପୂର୍ବରୁ ପଞ୍ଜୀକୃତ ହୋଇଛି ସେମାନଙ୍କର ନବୀକରଣ କରିବା ଏବଂ ସବୁ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ଯେହେତୁ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ଅଞ୍ଚଳରେ ଅଛନ୍ତି, ତେଣୁ ପ୍ରଥମ ପଦକ୍ଷେପ ସ୍ବରୂପ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡରେ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ। ଫଳରେ ସେମାନେ ବିନା ବାଧାରେ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ।

ଜୁଲାଇ ଶେଷ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ସାରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ ଶ୍ରମ ସଚିବ କହିଛନ୍ତି। ପୌରପାଳିକା ଓ ପଞ୍ଚାୟତ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଏଥି ପାଇଁ ନିୟୋଜିତ କରି ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ‌େଶଷ କରିବାକୁ କୁହାଯାଇଛି। ପଞ୍ଜୀକୃତ ନିର୍ମାଣ ଶ୍ରମିକ ଯେପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅଧୀନକୁ ଆସିପାରିବ, ତାହା ମଧ୍ୟ ନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ କହାଯାଇଛି।

ସମ୍ବନ୍ଧିତ ଖବର