ପ୍ରତି ୫ ବର୍ଷରେ ପଞ୍ଜୀକୃତ ଏନ୍‌ଜିଓ ନବୀକରଣ କରାଇବେ

ବିଧାନସଭାରେ ସଂଶୋଧନ ବିଲ୍‌ ଗୃହୀତ
ବାହାର ରାଜ୍ୟରେ ଲୋକାୟୁକ୍ତ ସଦସ୍ୟଙ୍କ ପୁନଃନିଯୁକ୍ତି ଉପରେ କଟକଣା ଉଠିଲା

ଭୁବନେଶ୍ବର : ‘ଓଡ଼ିଶା ସମିତି ପଞ୍ଜୀକରଣ ଆଇନ,୧୮୬୦’ରେ ସଂଶୋଧନ କରାଯାଇଛି। ଏ ସଂକ୍ରାନ୍ତୀୟ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବ୍ୟବସ୍ଥା‌ ଅନୁଯାୟୀ ପଞ୍ଜୀକୃତ ସଂସ୍ଥାଗୁଡ଼ିକର ବୈଧତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦେୟ ପ୍ରଦାନ କରି ସଂସ୍ଥାଗୁଡ଼ିକ ସେମାନଙ୍କ ପଞ୍ଜୀକରଣର ନବୀକରଣ ପ୍ରତି ପାଞ୍ଚ ବର୍ଷରେ କରାଇବେ। ପଞ୍ଜୀକୃତ ସଂସ୍ଥାଗୁଡ଼ିକର ଆୟ ଓ ବ୍ୟୟ ସମୀକ୍ଷା କରାଯାଇ ବାର୍ଷିକ ବିବରଣୀ ଓ ଅଡିଟ୍‌ ରିପୋର୍ଟ ନିବନ୍ଧକଙ୍କ ନିକଟରେ ଉପସ୍ଥାପନ କରାଯିବ।

ଓଡ଼ିଶା ଲୋକାୟୁକ୍ତ ଅଧିନିୟମ,୨୦୧୪ରେ ଏକ ସଂଶୋଧନ ବିଲ୍‌ ଅାଜି ବିଧାନସଭାରେ ପାରିତ ‌ହୋଇଛି। ପୂର୍ବରୁ ଥିବା ବ୍ୟବସ୍ଥ‌ା ଅନୁଯାୟୀ ଅଧ୍ୟକ୍ଷ ଓ ସଦସ୍ୟମାନେ କାର୍ଯ୍ୟକାଳ ସରିଲା ପରେ ବାହାର ରାଜ୍ୟରେ କୌଣସି ଲୋକାୟୁକ୍ତର ଅଧ୍ୟକ୍ଷ ଓ ସଦସ୍ୟ ଭାବେ ପୁନଃନିଯୁକ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଦ୍ବାରା ନ୍ୟସ୍ତ କରାଯାଉଥିବା କୌଣସି ଦାୟିତ୍ବ କିମ୍ବା ନିଯୁକ୍ତି ନିମନ୍ତେ ଯୋଗ୍ୟ ହୋଇପାରିବେ ନାହିଁ। ଏହି ନିୟମର ସଂଶୋଧନ କରାଯାଇ ରାଜ୍ୟ ବାହାରେ ପୁନଃନିଯୁକ୍ତି ଉପରୁ କଟକଣା ଉଠାଇ ଦିଆଯାଇଛି।

ଜାଭିଅର୍‌ ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇଛି। ‘ଜାଭିଅର୍‌ ବିଶ୍ବବିଦ୍ୟାଳୟ, ଓଡ଼ିଶା ଅଧିନିୟମ,୨୦୧୩’ ସଂ‌େଶାଧନ ବିଲ୍‌ ବିଧାନସଭାରେ ଗୃହୀତ ହୋଇଛି। ଏଣିକି ଏହା ‘ଏକ୍ସଆଇଏମ୍‌ ବିଶ୍ବବିଦ୍ୟାଳୟ, ଓଡ଼ିଶା’ ନାମରେ ନାମିତ କରାଯିବ।

ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭କୁ ସଂଶୋଧନ କରିବା ପାଇଁ ଆସିଥିବା ବିଲ୍‌ ବିଧାନସଭାର ମଞ୍ଜୁରୀ ପାଇଛି। ଏହା ଦ୍ବାରା ଅଧିବକ୍ତା କଲ୍ୟାଣ ପାଣ୍ଠିର ସଦସ୍ୟମାନେ ମୃତ୍ୟୁ, ଅବସର କିମ୍ବା ସ୍ଥାୟୀ ଶାରୀରିକ ଅଥବା ମାନସିକ ଅକ୍ଷମତା କାରଣରୁ ସ୍ବେଚ୍ଛାକୃତ ସେବାନିବୃତ ହେଲେ ସମ୍ପ୍ରତି ପାଉଥିବା ଆର୍ଥିକ ସୁବିଧା ଠାରୁ ଅଧିକ ଆର୍ଥିକ ଲାଭ ପାଇବେ। ଏହା ସହ ଓଡ଼ିଶା ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ,୨୦୦୫ରେ ସଂଶୋଧନ ବିଲ୍‌ ମଧ୍ୟ ଗୃହରେ ପାରିତ ହୋଇଛି।

ସମ୍ବନ୍ଧିତ ଖବର