କିଶୋରଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ଆସନ୍ତା ୩ତାରିଖରୁ ରାଜ୍ୟରେ ୧୫-୧୮ବର୍ଷ କିଶୋରଙ୍କ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ‌କୋ-ୱିନ୍‌ ଆପ୍‌ରେ ଆଜିଠାରୁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଆରମ୍ଭ ହୋଇଛି। ହେଲେ ରାଜ୍ୟରେ ଏବେ ସୁଦ୍ଧା କେତେ ସଂଖ୍ୟକ କିଶୋର ପଞ୍ଜୀକରଣ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଦେଶବ୍ୟାପୀ ଏହି ସଂଖ୍ୟା ୬୯ହଜାରରୁ ଅଧିକ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କିଶୋର ସଂଖ୍ୟା ୨୩ଲକ୍ଷ ୬୫ହଜାର ରହିଛି। ଉଭୟ ଅନ୍‌ଲାଇନ୍‌ ଓ ଅନ୍‌ସାଇଟ୍‌ ପଞ୍ଜୀକରଣ କରି ଟିକା ନେବା ପାଇଁ ଅନୁମତି ରହିଛି। କିଶୋରଙ୍କ ଟିକାକରଣ ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଟିକାକରଣ କେନ୍ଦ୍ରକୁ ସମର୍ପିତ କରାଯିବ। ଯେତେ ପିଲା ଟିକା ନେବାକୁ ଆସିବେ ସେମାନଙ୍କର ଟିକାକରଣ କରାଯିବ। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ୨୦୦୫-୨୦୦୭ ମସିହା ଭିତରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଟିକା ନେଇ ପାରିବେ। ଏବେ ରାଜ୍ୟରେ ପ୍ରାୟ ୧୫ଲକ୍ଷ ଟିକା ମହଜୁଦ ଅଛି।

କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭାକ୍ସିନ୍ ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ୫କୋଟି ଡୋଜ୍ ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ ୧୮ବର୍ଷରୁ ଅଧିକ ୩.୨୫କୋଟି ଲୋକ ବା ୯୦ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ସାରିଲେଣି। ୬୪ ପ୍ରତିଶତ ଉଭୟ ଡୋଜ୍ ନେଇଛନ୍ତି। ଚଳିତମାସ ୧୫ତାରିଖ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଡା.ପାଣିଗ୍ରାହୀ କହିଛନ୍ତି।

ରାଜ୍ୟରେ ୨୪୩୮ ଟିକାକରଣ କେନ୍ଦ୍ରରେ ଆଜି ୧‌ଲକ୍ଷ ୬୧ହଜାର ୮୧୦ ଡୋଜ୍ ଟିକା ଦିଆଯାଇଛି। ମୋଟ ଟିକାଦାନ ସଂଖ୍ୟା ୫କୋଟି ୨୨ଲକ୍ଷ ୪ହଜାର ୭୧୭ରେ ପହଞ୍ଚିଛି। ଏଥିରେ ୪ଲକ୍ଷ ୩୪ହଜାର ୧୮୬ ଗର୍ଭବତୀ ମହିଳା ଟିକା ନେଇଛନ୍ତି। ଆସନ୍ତାକାଲି ରାଜ୍ୟରେ ୧୯୯୮ ଟିକାକରଣ ଅଧିବେଶନରେ ଟିକାକରଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର