ଗୁଣପୁର: ପୂର୍ବରୁ ସରକାରଙ୍କ ନିର୍ଦେଶନାମା ଥିବାସତ୍ତ୍ୱେ ବିନା ଟାଉନ ପ୍ଲାନିଂ ଓ ପୈାର ସଂସ୍ଥାର ଅନୁମୋଦନ ନଥାଇ ପ୍ଲଟଜମି ବେଆଇନ ଭାବେ କିଣାବିକା ଚାଲିଥିଲା। ସବ ରେଜିଷ୍ଟ୍ରି ଅଫିସରେ ତହସିଲଦାର ଓ କର୍ମଚାରୀ ମାନେ ନିୟମ ପ୍ରତି ଆଖୀ ବୁଜିଦେଇ ରେଜିଷ୍ଟ୍ରେସନ କରୁଥିଲେ। ଏବେ ଏହାକୁ ନେଇ ପୌରାଞ୍ଚଳରେ ବିବାଦ ଦେଖାଯିବା ପରେ ଏଣିକି ଟାଉନପ୍ଲାନିଂ ଓ ପୈାର ସଂସ୍ଥାର ବିନା ଅନୁମୋଦନରେ ଜମି କିଣା ବିକା କିମ୍ବା ରେଜିଷ୍ଟ୍ରେସନ ହୋଇପାରିବ ନାହିଁ । ସରକାରଙ୍କ ଏହି ନିୟମକୁ କାର୍ଯ୍ୟକାରୀ କରି ଗୁଣପୁର ସବ ରେଜିଷ୍ଟ୍ରାର ତଥା ତହସିଲଦାର ଲିଳାବତୀ ଆଚାର୍ଜୀ ରୋକ ଲଗାଇଛନ୍ତି । ସଦ୍ୟ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଗୃହ ପାଇଁ ଉଦ୍ଦିଷ୍ଟ ଜମି ବିକ୍ରି କରିବାକୁ ହେଲେ ପ୍ଲଟ ଓ ସବ ପ୍ଲଟ ଗୁଡ଼ିକୁ ଗୁଣପୁର ସ୍ୱତନ୍ତ୍ର ସହରାଞ୍ଚଳ ଯୋଜନା ଅଧିକାରୀ ଓ ପୈାର ନିର୍ବାହୀ ଅଧିକାରୀଙ୍କ ଠାରୁ ଅନୁମୋଦନ କରାଇବା ବାଧ୍ୟତା ମୂଳକ । ଯଦି ଗ୍ରାମାଞ୍ଚଳ ଜମି ହୋଇଥିଲେ ଲେଆଉଟ ପ୍ଲାନିଂ ମ୍ୟାପ ବିଡ଼ିଓଙ୍କ ଦ୍ୱାରା ଅନୁମୋଦନ କରାଇବାକୁ ବିଜ୍ଞପ୍ତିରେ କୁହାଯାଇଛି ।

Advertisment

ଏହା ବ୍ୟତୀତ ଆରଇ ଓ ଅମୀନଙ୍କ ଦ୍ୱାରା ଜମିପ୍ଲଟର ସ୍କେଚ ମ୍ୟାପ ଦାଖଲ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ସେହିପରି ଚାଷ ଜମିକୁ ଘରବାରି ଜମି କରିବାକୁ ପ୍ରଥମେ ତହସିଲ କାର୍ଯ୍ୟାଳୟରେ ଟଙ୍କା ଜମା କରି କନଭେରସେନ କରିବେ । ଏହାପରେ ଟାଉନ ପ୍ଲାନିଂ ଅଫିସ ଏବଂ ପୈାର ସଂସ୍ଥାର ଅନୁମୋଦନ କରାଇ ଆନୁସାଂଗିକ ବ୍ୟବସ୍ଥା କରି ପ୍ଲଟ ଗୁଡ଼ିକୁ ବିକ୍ରି କରିପାରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି। ଉଲେଖଯୋଗ୍ୟଯେ ଗୁଣପୁର ସହରର ଶ୍ରୀନଗର ସମେତ ଅନେକ ଅଞ୍ଚଳରେ ଜମି ବିନା ଅନୁମୋଦନରେ କିଣି ଘର ନିର୍ମାଣ କରିଥିଲେ। ଯାହାଫଳରେ ପୈାର ପାଳିକା ଶ୍ରୀ ନଗର ଅଞ୍ଚଳକୁ ମୈାଳିକ ସୁବିଧା ଯୋଗାଇ ଦେବାକୁ ମନା କରିଦେଇଛି । ସେହି ଅଞ୍ଚଳରେ ବାସ କରୁଥିବା ବାସିନ୍ଦା ରାସ୍ତା,ନାଳ ଓ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ଟାଉନ ପ୍ଲାନିଂ ଓ ପୈାର ସଂସ୍ଥାର ବିନା ଅନୁମୋଦନରେ ଘର ପ୍ଲଟ ଜମି ବିକ୍ରି କରିଥିବା ଜମି ମାଲିକଙ୍କ ବିରୋଧରେ ଅଭିଯୋଗ ପରେ ମଧ୍ୟ ପୈାର ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ପ୍ରଥମେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଜୟପୁରରେ ଟାଉନ ପ୍ଲାନିଂ ଅଫିସରୁ ଅନୁମୋଦନ କରାଯାଉଥିଲା । ଏହାପରେ ୨୦୧୫ ମସିହାରେ ରାୟଗଡ଼ା ଜିଲ୍ଲାରେ ଟାଉନ ପ୍ଲାନିଂ ଅଫିସ ଖୋଲିଲା ।

ଏବେ ଦୁଇ ବର୍ଷ ହେଲା ଟାଉନପ୍ଲାନିଂ ଅନୁମୋଦନ କ୍ଷମତା ଗୁଣପୁର ପୈାର ସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି । ଏହାସତ୍ତ୍ୱେ ଘର ନିର୍ମାଣ ପାଇଁ ଲେଆଉଟ ପ୍ଲଟ ଅନୁମୋଦନ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଉଛି । ଜମି ବ୍ୟବସାୟୀ, ଟାଉନପ୍ଲାନିଂ କତୃପକ୍ଷ ପୈାର ସଂସ୍ଥାର ଅସାଧୁ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଜମି ବ୍ୟବସାୟୀଙ୍କୁ ସୁହାଇବା ଭଳି କାମ ହେଉଛି । ଏବେବି ସହରର ଶତାଧିକ ଲୋକ ପୌର ସଂସ୍ଥା ଅମୀନଙ୍କ ନିକଟରେ ଆବଶ୍ୟକ ଦସ୍ତାବିଜ ଓ ଟଙ୍କା ପଇଠ କରି ଦୁଇ ବର୍ଷ ହେଲା ଚକର କାଟୁଛନ୍ତି। ସେମାନଙ୍କ କାମ ହୋଇପାରୁନଥିବା ଅଭିଯୋଗ ହୋଇଛି ।ବିକ୍ରମପୁରର ୪ ଏକର ଜମି ଟାଉନ ପ୍ଲାନିଂ କରିଦେବାକୁ ଜୟପୁରର ବ୍ୟବସାୟୀ ନରେଶ ମାର୍ଟନିଆ ଚାରି ବର୍ଷ ହେଲା ଅମିନ ଚିନ୍ତାଡା କଣ୍ଡାଙ୍କୁ ଦସ୍ତାବିଜ ସହ ୮ ଲକ୍ଷ ଟଙ୍କା ଦେଇଥିଲେ। ଆଜି ପର୍ଯ୍ୟନ୍ତ ଜମି ଟାଉନ ପ୍ଲାନିଂ ଅନୁମୋଦନ କରୁନାହାନ୍ତି କି ଟଙ୍କା ମଧ୍ୟ ଫେରାଉ ନଥିବା ଅଭିଯୋଗ କରିଛନ୍ତି। ଉଲେଖ୍ୟଯୋଗ୍ୟଯେ ଗୁଣପୁର ପୌର ପାଳିକାର ଅମିନ ଚିନ୍ତାଡା କଣ୍ଡା ୧୯୯୮ ମସିହାରେ ନିଯୁକ୍ତି ପାଇବା ଦିନରୁ ୨୫ ବର୍ଷ ହେଲା ଅନ୍ୟତ୍ର ବଦଳି ନହୋଇ ଗୁଣପୁରରେ ରହିଛନ୍ତି। ସରକାରୀ ନିୟମ ଅନୁଯାୟୀ ଜମି ବ୍ୟବସାୟୀ ୩୦ ଫୁଟ ରାସ୍ତା ସହ ଡ୍ରେନ, ବିଦ୍ୟୁତ ଲାଇନ ଓ ଅଞ୍ଚଳ ଉନ୍ନୟନ ପାଇଁ ୨୦୧୬ ମସିହା ପରେ ପ୍ରତି ଏକର ପିଚ୍ଛା ୧୫ ସେଣ୍ଟ ଜମି ପୈାର ସଂସ୍ଥା ନାମରେ କରିବା ସହ ଆବଶ୍ୟକ ରାଜସ୍ୱ ପୈଠ କରିବା ପରେ ଜମି ଅନୁମୋଦନ ହୋଇଥାଏ । ୨୦୧୬ ପୂର୍ବରୁ ଉନ୍ନତି ପାଇଁ ୫ ସେଣ୍ଟ ଜମି ଛାଡିବାକୁ ନିୟମ ରହିଥିଲା।

ଆଶ୍ଚର୍ଯ୍ୟର ବିଷୟ ଏହି ସବୁ ନିୟମ ପ୍ରତି ଅସାଧୁମେଣ୍ଟ ଆଖି ବୁଜିଦେବା ଫଳରେ ଗତ ୨୫ ବର୍ଷ ମଧ୍ୟରେ ଗୁଣପୁର ପୈାର ସଂସ୍ଥା ୧୦୦ କୋଟିରୁ ଉର୍ଦ୍ଦ ରାଜସ୍ୱ ହରାଇଥିବା ବେଳେ ରେକର୍ଡରେ ଥିିବା ୫୦ କୋଟି ଟଙ୍କା ମୂଲ୍ୟର ଶତାଧିକ ପ୍ଲଟ ଜମିର ପତ୍ତା ମିଳୁନି । ସମସ୍ତ ରେକର୍ଡ ଓ ଫାଇଲ ଅମିନଙ୍କ ଜିମାରେ ରହିଥିବା ବେଳେ ଅନେକ ଫାଇଲକୁ ଅଫିସରୁ ଗାଏବ କରି ଦିଆଯାଇଛି। ଏହି ସମ୍ପର୍କରେ ଗୁଣପୁର ପୌର ପାଳିକାର ନିର୍ବାହୀ ଅଧିକାରୀ ସ୍ବାସ୍ତିକ ଜମାଦାର କହିଛନ୍ତିଯେ ପୂର୍ବରୁ ସବ- ରେଜିଷ୍ଟ୍ରି ଅଫିସ ଓ ପୌର ସଂସ୍ଥା ମଧ୍ୟରେ ସମନ୍ଵୟ ଅଭାବରୁ ଟାଉନ ପ୍ଲାନିଂରେ ବିଭ୍ରାଟ ଦେଖାଦେଇଛି। ଯେଉଁ ଅଞ୍ଚଳରେ ଟାଉନ ପ୍ଲାନିଂ ଅନୁମୋଦନ ହୋଇନି ସେହି ଅଞ୍ଚଳର ଜମି ମାଲିକଙ୍କୁ ନୋଟିସ ଦେଇ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ପୌର ପାଳିକା ରେକର୍ଡରେ ଥିବା ପ୍ଲଟ ଜମିକୁ ଉଦ୍ଧାର କରାଯାଇ ସୁରକ୍ଷା ବାଡ଼ ଦିଆଯିବ। ଶ୍ରୀନଗର ଅଞ୍ଚଳରେ ରାସ୍ତା,ନାଳ ନିର୍ମାଣ ଓ ବିଦ୍ୟତ ବ୍ୟବସ୍ଥା ଶୀଘ୍ର ଯୋଗାଇ ଦିଆଯିବ । ଅମିନଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରଯିବ ଵୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।