ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ପଞ୍ଜୀକରଣ ସମୟ ବଢ଼ିଲା : ଅଗଷ୍ଟ ୫ ଯାଏ ଚାଷୀ ବୀମାଭୁକ୍ତ ହୋଇପାରିବେ

ଭୁବନେଶ୍ୱର : ଚଳିତ ଖରିଫରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଅଗଷ୍ଟ ୫ ତାରିଖ ଯାଏ ବୃଦ୍ଧି କରାଯାଇଛି। ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇପାରି ନାହାନ୍ତି, ସେମାନେ ସେମାନଙ୍କ ଫସଲ ନିମନ୍ତେ ଆସନ୍ତା ୫ ତାରିଖ ଯାଏ ବୀମା କରିପାରିବେ। କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆଜି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିଲା ବେଳେ କୋଭିଡ୍‌-୧୯ ସ୍ଥିତି ଓ ଅନ୍ୟାନ୍ୟ କାରଣ ଯୋଗୁ ଅନେକ ଚାଷୀ ବୀମାଭୁକ୍ତ ହୋଇପାରୁ ନାହାନ୍ତି। ଏ ସମ୍ପର୍କରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭାରତ ସରକାରଙ୍କ ପକ୍ଷରୁ ବୀମାର ସମୟସୀମା ବୃଦ୍ଧି କରିବାକୁ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲେ। ଗତ ଜୁଲାଇ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଓ ୩୧ ତାରିଖରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ସମୟସୀମା ବୃଦ୍ଧି କରିବା ନିମନ୍ତେ ଅନୁରୋଧ କରି ପତ୍ର ଲେଖିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ବୀମାଭୁକ୍ତ ହେବାର ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ସଂପୃକ୍ତ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନିମାନେ ସମସ୍ତ ଦରଖାସ୍ତ ଗ୍ରହଣପୂର୍ବକ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଫସଲବୀମା ସମୟସୀମା ବୃଦ୍ଧି ପାଇବା ପରେ ଆଜି ପୂର୍ବାହ୍ନରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ସଚିବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ସମବାୟ ସମିତି ସମୂହ ନିବନ୍ଧକ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସ୍ବତନ୍ତ୍ର ଅଭିଯାନ ଜରିଆରେ ରାଜ୍ୟରେ ବୀମାଭୁକ୍ତ ହୋଇ ନ ଥିବା ଚାଷୀଙ୍କୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ବୀମାଭୁକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର