୧୭ ତାରିଖକୁ ବଢ଼ିଲା ଆଗଧାଡ଼ି ଯୋଦ୍ଧାଙ୍କ ପଞ୍ଜୀକରଣ

ଦିନକରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ଶତ ପ୍ରତିଶତ ଟିକାକରଣ ହୋଇଛି। ବେଶ୍ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ଶତ ପ୍ରତିଶତ ଟିକାକରଣ ରେକର୍ଡ କରାଯାଇଛି। ଉଭୟ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩ଲକ୍ଷ ୮୫ହଜାର ୨୩ଙ୍କୁ ଟିକା ଦିଆଯାଇ ସାରିଲାଣି।

ଗୁରୁବାର ରାଜ୍ୟରେ ୪୬ଟି ଅଧିବେଶନରେ ୩୭୯୫ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦାନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ୧୦୨ ପ୍ରତିଶତ ହାରରେ ୩୮୭୩ ଜଣଙ୍କୁ ଟିକା ଦିଆଯାଇଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଏ ପର୍ଯ୍ୟନ୍ତ ୨ଲକ୍ଷ ୭୭ହଜାର ୫୨୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି, ଯାହାକି ପଞ୍ଜୀକୃତ ସମୁଦାୟ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟାର ୮୨ ପ୍ରତିଶତ। ସେହିପରି ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ୧୬୧ ଅଧିବେଶନରେ ୧୭,୬୩୦ ଜଣଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୧୭,୫୨୭ଜଣ ଟିକା ନେଇଛନ୍ତି। ଟିକାକରଣ ହାର ପ୍ରାୟ ଶତ ପ୍ରତିଶତ ରହିଛି। ଫଳରେ ଟିକା ନେଇଥିବା ଆଗଧାଡ଼ିର ଯୋଦ୍ଧାଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୫୦୩କୁ ବୃଦ୍ଧି ପାଇଛି। ଆସନ୍ତାକାଲି ୬୫ ଅଧିବେଶନରେ ୮୨୨୬ ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଅପରପକ୍ଷରେ ଧାର୍ଯ୍ୟ ସମୟ ଭିତରେ ସବୁ ସ୍ବାସ୍ଥ୍ୟକର୍ମୀ ଟିକା ନ ନେଇପାରିବା କାରଣରୁ ପ୍ରଥମ ଡୋଜ୍ ଟିକାକରଣକୁ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ୧୫ତାରିଖରୁ ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହେବ। ତେବେ ଆଗଧାଡ଼ିର ଯୋଦ୍ଧାଙ୍କ ଟିକା ନେବା ପାଇଁ ପଞ୍ଜୀକରଣ ସମୟକୁ ପୁଣିଥରେ ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହା ୧୦ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ଏବେ ଏହାକୁ ୧୭ ତାରିଖକୁ ବୃଦ୍ଧି କରାଯାଇଛି। ଏବେ ସୁଦ୍ଧା ରାଜ୍ୟରେ ଆଗଧାଡ଼ିର ଯୋଦ୍ଧାଙ୍କ ସଂଖ୍ୟା ୨ଲକ୍ଷ ୧୨ହଜାରକୁ ବୃଦ୍ଧି ପାଇଛି। ଆସନ୍ତା ୧ ସପ୍ତାହ ଭିତରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ସେହିପରି ଗତକାଲି ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମିଶାଇ ଟିକା ନେଇଥିବା ସଂଖ୍ୟା ଦୃଷ୍ଟିରୁ ଦେଶରେ ଓଡ଼ିଶା ନବମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର