ଖରିଫ୍‌ ଧାନ ସଂଗ୍ରହ ପାଇଁ ୧୫ରୁ ନାମ ପଞ୍ଜୀକରଣ

ପୂର୍ବ ପଞ୍ଜୀକରଣ ନବୀକରଣ ହେବନି, ସାନି କରିବାକୁ ପଡ଼ିବ

ଭାଗ ଚାଷୀଙ୍କୁ ଜମି ମାଲିକ ସମ୍ମତିପତ୍ର ଦେବା ବାଧ୍ୟତାମୂଳକ
ଚାଷୀ ଭୁଲ୍‌ ତଥ୍ୟ ଦେଲେ ଧାନ ବିକିପାରିବେନି

ଭୁବନେଶ୍ବର : ଚଳିତ ଖରିଫ୍‌ରେ ଧାନ ସଂଗ୍ରହ ପାଇଁ ଖାଦ୍ୟ ‌ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜୁଲାଇ ୧୫ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଅନଲାଇନ୍‌ରେ ଚାଷୀଙ୍କର ନାମ ପଞ୍ଜୀକରଣ ହେବ। ଏଥିପାଇଁ ଚାଷୀଙ୍କୁ ସାନି ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ପୂର୍ବ ପଞ୍ଜୀକରଣ ନବୀକରଣ ହେବ ନାହିଁ। ଚାଷୀମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ୍‌ ନମ୍ବର ଆଦି ତଥ୍ୟ ଦେଇ ନାମ ପଞ୍ଜୀକରଣ କରିବାକୁ ହେବ। ଯେଉଁ ଚାଷୀ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ଇଚ୍ଛୁକ ଥିବେ, ସେମାନେ ନିକଟବର୍ତ୍ତୀ ସୋସାଇଟିରେ ନାମ ପଞ୍ଜୀକରଣ କରିପାରିବେ ବୋଲି କୁହାଯାଇଛି। ଅଧିସ୍ବୀକୃତ ପ୍ୟାକ୍ସ/ ଲ୍ୟାମ୍ପସ, ମହିଳା ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ନିଜ ନିଜ ଅଞ୍ଚଳ ନିମନ୍ତେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯିବ। ସୋସାଇଟିରେ ଧାନ ବିକିବା ପାଇଁ ପୂର୍ବରୁ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଏକ ବିସ୍ତୃତ ମାର୍ଗଦର୍ଶିକା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି।

ଖାଦ୍ୟ ‌ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ସମସ୍ତ ୩୦ଟି ଜିଲ୍ଲାରେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯିବ। ଚାଷୀମାନେ ଯେପରି ସୁବିଧାରେ ଫର୍ମ ପୂରଣ କରିପାରିବେ ସେଥିପାଇଁ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍‌ପ ଡେସ୍କ ରହିବ। ନାମ ପଞ୍ଜୀକରଣ ତଥ୍ୟ ସମ୍ବନ୍ଧୀୟ କୌଣସି ଆପତ୍ତି-ଅଭିଯୋଗ ଆସିଲେ ତାହାର ତୁରନ୍ତ ଶୁଣାଣି କରାଯିବ। ଧାର୍ଯ୍ୟ ସମୟ ମଧ୍ୟରେ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।

ପ୍ରତ୍ୟେକ ସୋସାଇଟିରେ ଚାଷୀ ପଞ୍ଜୀକରଣ ଫର୍ମ ଚାଷୀମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ। କେହି ଭୁଲ୍‌ ତଥ୍ୟ ଦେଲେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ ଏବଂ ଏହାକୁ ଅପଲୋଡ୍‌ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଷୀମାନେ ଫର୍ମ ପୂରଣ କରିବା ପରେ ପର୍ମ ସହ ଜମି ପଟ୍ଟାର ନକଲ, ବ୍ୟାଙ୍କ ପାସ୍‌ ବହିର ପ୍ରଥମ ପୃଷ୍ଠା ନକଲ, ଆଧାର କାର୍ଡର ନକଲ ଦାଖଲ କରିବେ। ଏହାସହ ନିଜର କିମ୍ବା ପରିବାର ଲୋକଙ୍କର କାହାର ମୋବାଇଲ୍‌ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି। ଅବୈଧ ଆଧାର କାର୍ଡ ନମ୍ବର ଥିବା ଚାଷୀଙ୍କ ରେଜିଷ୍ଟ୍ରେସନ୍ ଫର୍ମକୁ ନାମ ପଞ୍ଜୀକରଣ ନିମନ୍ତେ ବିବେଚନା କରାଯିବ ନାହିଁ। ଏହାସହ ଖରିଫ୍‌ରେ କେତେ ଜମିରେ ଧାନ ଚାଷ କରିଛନ୍ତି ତା’ର ପ୍ରକୃତ ତଥ୍ୟ ଦେବାକୁ ପଡ଼ିବ। ଚାଷୀ କେବେ ମଣ୍ଡିକୁ ଧାନ ଆଣିବେ ତା’ର ସମୟ ମଧ୍ୟ ଉଲ୍ଲେଖ କରିବେ।

ସେହିପରି ଭାଗଚାଷୀଙ୍କୁ ରେଜି‌ଷ୍ଟ୍ରେସନ୍ ଫର୍ମ ସହିତ ଜମି ମାଲିକଙ୍କର ସମ୍ମତିପତ୍ର ଦାଖଲ କରିବାକୁ ପଡ଼ିବ। ଏହାସହ ଭାଗ ଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡର ନକଲ ଏବଂ ମୋବାଇଲ୍‌ ନମ୍ବର ଦାଖଲ କରିବାକୁ ପଡ଼ିବ। ଜମି ମାଲିକଙ୍କ ସମ୍ମତିପତ୍ର ବିନା ଭାଗ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇପାରିବ ନାହିଁ।

ଚାଷୀମାନେ ଚଳିତ ଖରିଫରେ ପ୍ରକୃତରେ କେତେ ପରିମାଣର ଜମିରେ ଧାନ ଚାଷ କରିଛନ୍ତି ତା’ର ସତ୍ୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁ ଜମି ‘ଭୂଲେଖ’ରେ ନାହିଁ ସେଗୁଡ଼ିକ ରାଜସ୍ବ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ। ଯଦି ଜମିଗୁଡ଼ିକ ରାଜସ୍ବ ରେକର୍ଡରେ ଜଳସେଚିତ ବୋଲି ଉଲ୍ଲେଖ ନାହିଁ, କିନ୍ତୁ ଚାଷୀ ବୋରୱେଲ୍‌, ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରୁଥିବା ଦାବି କରୁଛନ୍ତି ତେବେ ତାହାକୁ ଯୁଗ୍ମ କମିଟି ଦ୍ବାରା ଯାଞ୍ଚ କରାଯିବ। ଏହାସହିତ ଏଗୁଡ଼ିକ ଯଦି ବିଦ୍ୟୁତ ସଂଯୋଗ ହୋଇଥିବ ତେବେ ବିଦ୍ୟୁତ ଗ୍ରାହକ ନମ୍ବର ଦେବାକୁ ହେବ। କିସମରେ ଯେଉଁ ଜମିଗୁଡ଼ିକ ଚାଷ ଉପଯୋଗୀ ନୁହେଁ, ଯଥା ଅନାବାଦି, ଘରବାଡ଼ି, ଖେଳପଡ଼ିଆ, ପର୍ବତ, ନଦୀ, ରେଳପଥ, ଇତ୍ୟାଦି ଉଲ୍ଲେଖ ଥିବ ସେଗୁଡ଼ିକ ବାଦ୍‌ ଦିଆଯିବ। ଏହାସହ ଉଚ୍ଚ ଜମି ଯାହାକି ଧାନ ଚାଷ ପାଇଁ ଉପଯୁକ୍ତ ନୁହେଁ ସେଗୁଡ଼ିକ କୃଷି, ଜଳସେଚନ ଓ ସମବାୟ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇ ବାଦ୍‌ ଦିଆଯିବ।

ସୋସାଇଟି ସମ୍ପାଦକମାନେ ରେଜିଷ୍ଟ୍ରସନ୍ ଫର୍ମରେ ଦିଆଯାଇଥିବା ତଥ୍ୟ ଏବଂ ଦାଖଲ କରାଯାଇଥିବା ତଥ୍ୟ ଯାଞ୍ଚ କରିସାରିବା ପରେ ଏହାକୁ ସୋସାଇଟିରେ ଡିଜିଟାଇଜ୍‌ କରିବେ। ସମସ୍ତ ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଜୁଲାଇ ୧୮ରୁ ଅଗଷ୍ଟ ୨୨ ମଧ୍ୟରେ ଶେଷ ହେବ। ନିର୍ଭୁଲ ନାମ ପଞ୍ଜୀକରଣ କରିବା ନିମନ୍ତେ ସୋସାଇଟି ଓ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ରେଜି‌‌ଷ୍ଟ୍ରେସନ୍ କାର୍ଯ୍ୟକୁ ତ୍ବରାନ୍ବିତ ଓ ତଦାରଖ କରିବା ନିମନ୍ତେ ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌, ଡିଏସ୍‌ଡବ୍ଲ୍ୟୁ, ମିସନ ଶକ୍ତି କୋର୍ଡିନେଟର, ସିଏସ୍‌ଓ, ଏସିଏସ୍‌ଓ, ଯୋଗାଣ ନିରୀକ୍ଷକ ପ୍ରମୁଖ ତଦାରଖ ଦାୟିତ୍ବରେ ରହିବେ।

ସେହିପରି ଭୂଲେଖରେ ଉଲ୍ଲିଖିତ ହୋଇନଥିବା ଜମିଜମାର ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଜଳସେଚିତ ଜମି ଏବଂ ଭାଗ ଚାଷୀ ସମ୍ବନ୍ଧୀୟ ତଥ୍ୟର ଯାଞ୍ଚ ପ୍ରକ୍ରିୟା ଆଦି କାର୍ଯ୍ୟ ସେପ୍ଟେମ୍ବର ୭ ସୁଦ୍ଧା ଶେଷ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା ଚାଷୀ ନାମପଞ୍ଜୀକରଣର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର