‘ମମତା’ ଯୋଜନାରେ ପଞ୍ଜୀକରଣ ଅବଧି ୭ ମାସକୁ ବୃଦ୍ଧି

ପ୍ରବାସୀ ମହିଳା ଓ ଶିଶୁଙ୍କ ତୁରନ୍ତ ପଞ୍ଜୀକରଣ ଉପରେ ଗୁରୁତ୍ବ

ଭୁବନେଶ୍ବର : ଲକ୍‌ଡାଉନ୍ ହେତୁ ଗର୍ଭବତୀ ମହିଳାମାନେ ‘ମମତା’ ଯୋଜନାରେ ପଞ୍ଜୀକରଣ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ନିୟମାବଳୀରେ ସଂଶୋଧନ କରାଯାଇଛି। ପୂର୍ବରୁ ଏହି ସହାୟତା ପାଇବା ନିମନ୍ତେ ପ୍ରଥମ ଗର୍ଭଧାରଣର ୩ ମାସ ମଧ୍ୟରେ ପଞ୍ଜୀକରଣ ହେଉଥିଲା ବେଳେ ସମ୍ପ୍ରତି ଏହି ଅବଧିକୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅତି କଠିନ ପରିସ୍ଥିତିରେ ୭ ମାସ ଯାଏ ମଧ୍ୟ ପଞ୍ଜୀକରଣ କରାଯାଇପାରିବ। ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ଏକ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।

ରାଜ୍ୟକୁ ଫେରୁଥିବା ପ୍ରବାସୀ ମହିଳାମାନେ କୌଣସି ଜାତୀୟ କିମ୍ବା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରସୂତୀକାଳୀନ ସହାୟତା ଯୋଜନାର ଅନ୍ତର୍ଭୁକ୍ତ ନ ହୋଇଥିଲେ ଓଡ଼ିଶାର ‘ମମତା’ ଯୋଜନାର ସୁଫଳ ପାଇପାରିବେ। ଏଥି ପାଇଁ ସେମାନଙ୍କୁ ଏକ ଲିଖିତ ଅଣ୍ଡର୍‌ଟେକିଂ ଦେବାକୁ ପଡ଼ିବ। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ୧୮୧ ହେଲ୍‌ପ୍‌ଲାଇନ୍‌ରେ ମଧ୍ୟ ‘ମମତା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇ ଅବଗତ କରାଯିବ।

ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ କୋଭିଡ୍‌ ପାଇଁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ଏଥି ସହିତ ସାରା ଦେଶରେ ଲକ୍‌ଡାଉନ୍ ପରିସ୍ଥିତି ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରି ଆସୁଛନ୍ତି। ଏହି କଠିନ ସ୍ଥିତିରେ କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ମଧ୍ୟରେ ସମସ୍ତ ଅଙ୍ଗନବାଡ଼ି ସେବା ‌ଜାରି ରଖିବା ଏବଂ ଓଡ଼ିଶାକୁ ଫେରୁଥିବା ସମସ୍ତ ଯୋଗ୍ୟ ପ୍ରବାସୀ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଅଙ୍ଗନବାଡ଼ିରେ ପଞ୍ଜୀକରଣ ମାଧ୍ୟମରେ ସମସ୍ତ ସେବା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ସମନ୍ବିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କୋଭିଡ୍‌ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ବୈଠକରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ରଶ୍ମୀରଞ୍ଜନ ନାୟକ, ଧରଣୀଧର ନନ୍ଦ, ନିତ୍ୟାନନ୍ଦ ବାରିକ ଓ ରେଗା ଗୀତାରାଣୀ ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର