ଆରଟିଇ ପାରଦର୍ଶୀ ପୋର୍ଟାଲରେ ପଞ୍ଜୀକରଣ ଅବଧି ବଢ଼ିଲା, ପଞ୍ଜୀକରଣ ନ କଲେ ସିଓଆର ପ୍ରତ୍ୟାହାର

ଭୁବ‌ନେଶ୍ବର : ଶିକ୍ଷା ଅଧିକାର ଆଇନ(ଆରଟିଇ) ଅଧୀନରେ ଗରିବ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟରେ ନାମଲେଖା ଲାଗି ଚାଲିଥିବା ପଞ୍ଜୀକରଣ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଯେଉଁ ବିଦ୍ୟାଳୟଗୁଡ଼ିକ ଆରଟିଇ ପାରଦର୍ଶୀ ପୋର୍ଟାଲରେ www.rteparadarshi.odisha.gov.in ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ମେ’ ୩୧ ଭିତରେ ବିଦ୍ୟାଳୟଗୁଡ଼ିକ ଉକ୍ତ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ଏହି ସମୟ ସୀମାକୁ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି।

ଏହି ସମୟ ସୀମା ମଧ୍ୟରେ ଯେଉଁ ବିଦ୍ୟାଳୟଗୁଡ଼ିକ ପଞ୍ଜୀକରଣ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଆର ଆର ଆୟାର ନିର୍ଦେଶ ଦେଇଛନ୍ତି। ଯେଉଁ ଘରୋଇ ବିଦ୍ୟାଳୟ ମେ’ ୩୧ ଭିତରେ ପଞ୍ଜୀକରଣ ନ କରିବେ ସେମାନଙ୍କ ସିଓଆର(ସାର୍ଟିଫିକେଟ୍‌ ଅଫ୍‌ ରେକୋଗ୍‌ନେସନ) ପ୍ରତ୍ୟାହାର ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କହିବା ଲାଗି ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୪ ହଜାର ୩୫୯ଟି ବିଦ୍ୟାଳୟ ପଞ୍ଜୀକରଣ କରିସାରିଛନ୍ତି। ଆହୁରି ପ୍ର୍ରାୟ ୩୦୦ ସ୍କୁଲ ଏପର୍ଯ୍ୟନ୍ତ କରିନାହାନ୍ତି। ସେହିପରି ୩ ହଜାର ୫୦୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ହାତରେ ଆହୁରି ୧୮ ଦିନ ରହିଥିବାରୁ ଛାତ୍ରଛାତ୍ରୀ ତୁରନ୍ତ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର