ଭୁବନେଶ୍ବର: ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ର ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ମେ’ ୨୪ ତଥା ଶନିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍‌ ୩୦ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ (ସିଏଏଫ୍‌) ଦାଖଲ କରିପାରିବେ। ଦୁଇ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ମେଧା‌ ତାଲିକା ପ୍ରକାଶ ସହ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ। ଜୁଲାଇ ୭ରେ ପ୍ରଥମ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ରୁ ଇଣ୍ଟିମେସନ୍‌ ଲେଟର୍‌ ଡାଉନ୍‌ଲୋଡ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୮ରୁ ୧୪ ମଧ୍ୟରେ ହେବ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ତଥ୍ୟ ଅପଡେଟ୍‌ କରିବେ। ଜୁଲାଇ ୯ରୁ ୧୫ ମଧ୍ୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର ପାଇଁ ସ୍ଲାଇଡ୍‌ ଅପ୍‌ ଆବେଦନ କରିପାରିବେ।

Advertisment

ଜୁଲାଇ ୨୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଜୁଲାଇ ୨୩ରୁ ୨୮ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବା ସହ ନାମ ଲେଖାଇ ପାରିବେ। ଜୁଲାଇ ୨୯ ସୁଦ୍ଧା ସାମ୍‌ସ ଇ-ସ୍ପେସ୍‌ରେ ନାମଲେଖା ସଂକ୍ରାନ୍ତୀୟ ତଥ୍ୟ ଦାଖଲ କରିବେ ଶିକ୍ଷାନୁଷ୍ଠାନ। ଜୁଲାଇ ୩୦ରେ ତତ୍କାଳ (ସ୍ପଟ୍‌) ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ପହିଲାରେ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ବା ଚଏସ୍‌ ଲକିଂ ସରିବ। ଅଗଷ୍ଟ ୭ରେ  ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ତତ୍କାଳ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ www.samsodisha.gov.in ଲଗ୍‌ଇନ୍‌ କରି ନାମଲେଖା ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇପାରିବେ। ନାମଲେଖା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ ମଧ୍ୟ ଜାରି ହୋଇଛି। ସାଧାରଣ ବର୍ଗଙ୍କ ପାଇଁ ଫର୍ମପୂରଣ ଦେୟ ୨୦୦ ଟଙ୍କା ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି। କିନ୍ନର ଏବଂ ଭିନ୍ନକ୍ଷମଙ୍କ ପାଇଁ ଫର୍ମପୂରଣ ମାଗଣା ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ୨୩୭୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫ଲକ୍ଷ ୬୦ ହଜାର ୧୫୭ ସିଟ୍‌ରେ ନାମଲେଖା ହେବ।