ଭୁବନେଶ୍ବର: ୨୦୨୪-୨୬ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇବର୍ଷ ଧରି ବନ୍ଦ ରହିବା ପରେ ଗତବର୍ଷଠାରୁ ଆରମ୍ଭ ହୋଇଥିବା ନାମଲେଖା ଏଥର ପୁଣିଥରେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ଲାଗି ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ସଂସ୍ଥାମାନେ ଜୁଲାଇ ୪ ମଧ୍ୟରେ ଟେଣ୍ଡର ପକାଇବାକୁ କୁହାଯାଇଛି। ଏଥର ପାଖାପାଖି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷାରେ ସାମିଲ ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ। କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଇଂରାଜୀ, ଓଡ଼ିଆ, ହିନ୍ଦୀ, ତେଲଗୁ, ଉର୍ଦ୍ଦୁ, ସାନ୍ତାଳି ଭାଷାରେ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯିବ। ଗୋଟିଏ ସିଫ୍ଟରେ ୨୦୦ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେଇପାରିବେ ସେନେଇ ବ୍ୟବସ୍ଥା କରାଯିବ। ଟିଇ ଆଣ୍ଡ ଏସ୍ସିଇଆରଟି ସହ ବିଚାରବିମର୍ଶ କରି ପରୀକ୍ଷା କରିବାକୁ ଥିବା ସଂସ୍ଥା କେନ୍ଦ୍ର ସ୍ଥିର କରିବେ। ସହରର ପ୍ରମୁଖ ସ୍ଥାନରେ ଏହି ପରୀକ୍ଷା କେନ୍ଦ୍ର ହେବ। ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ପରୀକ୍ଷା ସମୟରେ ଯେପରି କୌଣସି ପ୍ରକାର ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯିବ।
ଧାର୍ଯ୍ୟ ସମୟରେ କିଭଳି ନାମଲେଖା ହେବ, ସେଥିପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି। ଟିଇ ଆଣ୍ଡ ଏସ୍ସିଇଆରଟି ପକ୍ଷରୁ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ, ପିଲାଙ୍କୁ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରିବା, ଅନ୍ଲାଇନ୍ ଆଡମିଟ୍ କାର୍ଡ ଉପଲବ୍ଧ କରାଇବା, ପରୀକ୍ଷାର୍ଥୀଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ପ୍ରଦାନ କରାଯିବ। ପରୀକ୍ଷାର୍ଥୀଙ୍କ ମକ୍ଟେଷ୍ଟ ପାଇଁ ସମ୍ପୃକ୍ତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଲିଙ୍କ୍ ବ୍ୟବସ୍ଥା କରିବ। ପରୀକ୍ଷାର୍ଥୀଙ୍କୁ ୯୦ ମିନିଟ୍ରେ ୯୦ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହାକି ଏମ୍ସିକ୍ୟୁ ଆକରରେ ଉପଲବ୍ଧ ରହିବ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୨୦ ମିନିଟ୍ ସମୟ ଦିଆଯିବ। ପରୀକ୍ଷାର ୧୫ରୁ ୨୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସିବିଟି ବିଷୟରେ ସଚେତନ କରାଯିବ। ପ୍ରଶ୍ନପତ୍ର ବିଭ୍ରାଟକୁ ଗୁରୁତ୍ବର ସହ ନିଆଯିବା ସହ ଆବଶ୍ୟକ ପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ୨୬ଟି ସରକାରୀ ଡିଇଏଲ୍ଇଡି ଶିକ୍ଷାନୁଷ୍ଠାନର ଶହେ ଲେଖାଏ ସିଟ୍ରେ ନାମଲେଖା ଲାଗି ସ୍ଥିର ହୋଇଥିଲା। ମାତ୍ର ରାଜ୍ୟରେ ବହୁ ସଂଖ୍ୟକ ଡିଇଏଲ୍ଇଡି ତାଲିମପ୍ରାପ୍ତ ବେକାର ରହିଥିବାରୁ ଆଉ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ତାଲିମ ନ ଦେବାକୁ ଗଣଶିକ୍ଷା ବିଭାଗ ନାମଲେଖା ନ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୨୩-୨୫ ଶିକ୍ଷାବର୍ଷରେ ନାମଲେଖା ପାଇଁ ୨୦୨୩ ମାର୍ଚ୍ଚ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ୨୦୨୪-୨୬ ବ୍ୟାଚ୍ ପାଇଁ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି। ଗତବର୍ଷ ୬୮ଟି ଶିକ୍ଷାନୁଷ୍ଠାନର ୬,୧୦୪ଜଣ ଛାତ୍ରଛାତ୍ରୀ ନାମଲେଖାଇଥିଲେ। ଏଥର କେତେ ସଂଖ୍ୟକ ସିଟ୍ରେ ନାମଲେଖା ହେବ ସେନେଇ ଟିଇ ଆଣ୍ଡ ଏସ୍ସିଇଆରଟି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।