୧ରୁ ଯୁକ୍ତ୨ ରେଗୁରାଲ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ, ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରି ଓ ଜାନୁଆରି ୧୫ରୁ ପ୍ରାକ୍ଟିକାଲ
ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ରେଗୁରାଲ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ନଭେମ୍ବର ୧ରୁ ଆରମ୍ଭ ହେବ। ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ ଏବଂ ୨ରୁ ୧୧ ତାରିଖ ମଧ୍ୟରେ ଫି’ ଦାଖଲ କରିବେ। ଯେଉଁମାନେ ଏହି ସମୟ ମଧ୍ୟରେ ଫର୍ମ ପୂରଣ କରିପାରିବେ ନାହିଁ ସେମାନେ ୧୧ରୁ ୧୬ ତାରିଖ ମଧ୍ୟରେ ୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବେ ଏବଂ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଫି’ ଦାଖଲ କରିପାରିବେ। ସେହିପରି ୧୮ରୁ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୩୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବା ସହ ୧୯ରୁ ୨୧ ତାରିଖ ମଧ୍ୟରେ ଫି’ ଦାଖଲ କରି ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଫର୍ମ ପୂରଣ ନେଇ ପରିଷଦ ପକ୍ଷରୁ ଏକ ଗାଇଡ୍ଲାଇନ୍ ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ୨ ଥିଓରି ଓ ଜାନୁଆରି ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏଥର ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଅନ୍ଲାଇନ୍ରେ ସେମାନଙ୍କ କଲେଜକୁ ପଠାଇ ଦିଆଯିବ। ଅଧ୍ୟକ୍ଷମାନେ ଆଡମିଟ୍ କାଡ୍ ଡାଉନ୍ଲୋଡ୍ କରିବା ସହ ସେଥିରେ ଦସ୍ତଖତ କରି ପରୀକ୍ଷାର୍ଥୀଙ୍କୁ ଦେବେ। ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ହସ୍ତାନ୍ତର ପୂର୍ବରୁ ଛାତ୍ରଛାତ୍ରୀ ସେଥିରେ ଦସ୍ତଖତ କରିବେ। ୨୦୧୮-୧୯ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି ଫର୍ମ ପୂରଣ କରିପାରିବେ। ଗତବର୍ଷ ଯେଉଁ ଢାଞ୍ଚା ଓ ସିଲାବସ୍ ଅନୁଯାୟୀ ପ୍ରଶ୍ନପତ୍ର ଆସିଥିଲା ଏଥର ମଧ୍ୟ ସେଭଳି ଆସିବ। କୌଣସି ପରିବର୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।