‘ବହି ପଢିବା’ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ
‘ପଢ଼େ ଭାରତ' ଅଭିଯାନରେ ୨ଟି ଓଡିଆ ପୁସ୍ତକ ସମେତ ୫ଟି ପୁସ୍ତକ ପଢ଼ିବେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନଆବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କୁ ‘ବହି ପଢ଼ିବା’କୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଂଚଳିକ ଭାଷାରେ ବହି ପଢ଼ିବା ପାଇଁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାରା ଜୀବନ ଶିକ୍ଷା ଗ୍ରହଣକୁ ବିକଶିତ କରିବା ଦିଗରେ ପୁସ୍ତକ ପଢ଼ିବାର ବିଶେଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅଳ୍ପ ବୟସରୁ ପୁସ୍ତକ ପଢ଼ିବା ଅଭ୍ୟାସ କଲେ ଏହା ଶିଶୁଙ୍କ ମାନସିକ ବିକାଶ କରିବ । ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ସୁସ୍ଥ ବାତାବରଣ ତିଆରି କରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବହି ପଢ଼ିବା ଏକ ଭଲ ଅଭ୍ୟାସ ଏବଂ ଜ୍ଞାନ, ଭାଷା ଏବଂ ସାମାଜିକ ଦକ୍ଷତାର ବିକାଶ କରିବାରେ ଏକ ଭଲ ଉପାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକଙ୍କୁ ନିୟମିତ ପୁସ୍ତକ ପଢ଼ିବା ପାଇଁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାରେ ପୁସ୍ତକ ପଢ଼ିବାକୁ ସାରା ଜୀବନ ଅଭ୍ୟାସରେ ପରିଣତ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ‘ପଢ଼େ ଭାରତ’ ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୫ଟି ପୁସ୍ତକ ପଢ଼ିବା ଆରମ୍ଭ କରିଛନ୍ତି । ଏଥିରେ ୨ଟି ଓଡ଼ିଆ ପୁସ୍ତକ କବିବର ରାଧାନାଥ ରାୟଙ୍କ ‘ଚିଲିକା’, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପ୍ରାୟଶ୍ଚିତ’ ରହିଛି ।
ସେହିପରି ଅନ୍ୟ ତିନୋଟି ପୁସ୍ତକ ଜେମ୍ସ କ୍ଲିୟରଙ୍କ ‘ଆଟୋମିକ୍ ହାବିଟ୍ସ, ରସକିନ୍ ବଣ୍ଡଙ୍କ ‘ଏ ଲିଟିଲ୍ ବୁକ୍ ଅଫ୍ ହାପିନେସ୍’, ସ୍ୱାମୀ ବିବେକାନନ୍ଦଙ୍କ ‘ରିଫ୍ଲେକ୍ସନ୍ସ’ ମଧ୍ୟ ରହିଛି । ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠକାମାନେ ନିଜେ ପଢ଼ୁଥିବା ପୁସ୍ତକ ସହ ଆଗକୁ କେଉଁ ପୁସ୍ତକ ପଢିବା ଉଚିତ୍, ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ‘ପଢ଼େ ଭାରତ’ ଅଭିଯାନରେ ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ସମାଜ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମାଜର ଅଂଶୀଦାରଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବାବ ଏହାର ଉଦ୍ଦେଶ୍ୟ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାର ଉନ୍ନତି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ବାଲ୍ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ଅଭିଯାନର ଭାଗିଦାରୀ ହେବେ । ପଠନ ଅଭିଯାନ ୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ ୧୦ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ୧୦୦ ଦିନ ବା ୧୪ ସପ୍ତାହ ଧରି ଆୟୋଜନ କରାଯିବ । ଛାତ୍ରଛାତ୍ରୀ ତଥା ଲୋକଙ୍କ ମଧ୍ୟରେ ପୁସ୍ତକ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବା ଏବଂ ଏହାକୁ ଉପଭୋଗ କରିବା ପାଇଁ ଏହି ଚଉଦ ସପ୍ତାହ ମଧ୍ୟରେ ଗଠନ ହୋଇଥିବା ପ୍ରତିଟି ଗ୍ରୁପ କାର୍ଯ୍ୟକ୍ରମ କରିବେ ।