ହାଇକୋର୍ଟଙ୍କ ନିର୍ଦ୍ଦେଶ: ‘ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ କର’

କଟକ: ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଲୋକାଲ ଫଣ୍ଡ ଅଡିଟ ଅର୍ଗାନାଇଜେସନ୍, ଗୋପବନ୍ଧୁ ଏକାଡେମି, ମଧୁସୂଦନ ଏକାଡେମି, ସବରେଜିଷ୍ଟ୍ରାର ଅଫିସ ଓ ଲୋକସେବା ଭବନରେ ୧୨-୧୪ ବର୍ଷ ଧରି କାର୍ଯ୍ୟ କରୁଥିବା ଏପରି ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ପ୍ରସଙ୍ଗରେ ୩ ମାସ ଭିତରେ ପଦକ୍ଷେପ ଗ୍ରହଣ କରାଯିବା ସହିତ ଆଇନ ଅନୁସାରେ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି, ସିଟି ଜିଏସ୍‌ଟି ବିଭାଗର ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକରି ନିୟମିତ ପ୍ରସଂଗରେ ଯତୀନ କୁମାର ଦାସ ମାମଲାରେ ରହିଥିବା ରାୟ ଆଧାରରେ ଆବେଦନକାରୀଙ୍କ ପ୍ରସଂ‌ଗରେ ପଦକ୍ଷେପ ଗ୍ରହଣ କରାଯିବ। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରଶ୍ମୀରେଖା ଦାଶ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଚାକିରି ନିୟମିତ ପ୍ରସଙ୍ଗ ନେଇ ମାମଲା ଦାୟର କରିଥିବା ଦୁଇ ଶହରୁ ଅଧିକ ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ। ଏଥିସହିତ ୬ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ମଧ୍ୟ ଚାକିରି ନିୟମିତ ପ୍ରସଙ୍ଗରେ ପଥ ସୁଗମ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ଡାଟା ଏଣ୍ଟ୍ରି ଅପରେଟର ତଥା ଆସିଷ୍ଟାଣ୍ଟଙ୍କୁ ମାସିକ ୪ ହଜାର ଟଙ୍କା ଦରମାରେ ୨୦୦୭-୦୮ରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଥିଲା। ଆଉଟ୍‌ସୋର୍ସିଂ ଏଜେନ୍ସି ମାଧ୍ୟମରେ ଏହି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଇଥିଲା। ଏଜେନ୍ସି ଦ୍ବାରା ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଆରମ୍ଭରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିବାବେଳେ ପରବର୍ତ୍ତୀ କାଳରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ୨୦୧୪ରେ ଏହି ଚୁକ୍ତିଭିତ୍ତିକ କର୍ମଚାରଙ୍କୁ ୧୯ଶହ ଟଙ୍କା ଗ୍ରେଡ୍ ପେ ପ୍ରଦାନ ପାଇଁ ଅନୁମତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି କର୍ମଚାରୀଙ୍କ ପ୍ରାପ୍ୟ ମଧ୍ୟ ୮ ହଜାର ୮୮୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ଡାଟା ଏଣ୍ଟ୍ରି ଅପରେଟରମାନେ କାର୍ଯ୍ୟ କରୁଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ୨୦୧୩, ସେପ୍ଟେମ୍ବର ୧୭ରେ ବିଜ୍ଞପ୍ତି ପ୍ରକାଶ କରି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ୬ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା କର୍ମଚାରୀଙ୍କ ଚାକିରି ନିୟମିତ କରାଯିବ ବୋଲି ସ୍ପଷ୍ଟ କରିଥିଲା। କିନ୍ତୁ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଏହି ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ କରାଯାଇ ନଥିଲା। ଡାଟା ଏଣ୍ଟ୍ରି ଅପରେଟରମାନେ ଚାକିରି ନିୟମିତ ପ୍ରସଂଗ ନେଇ  ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅତୁଲ ତ୍ରିପାଠୀ ଓ ଅମିତ ସାହୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର