ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ବୁଧବାର ପୁନର୍ବାର ମହେନ୍ଦ୍ରତନୟା ନଦୀଜଳ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାବାସୀ କିଭଳି ବ୍ୟବହାର କରିପାରିବେ ସେଥିପାଇଁ ଓଡ଼ିଶା ସୀମାନ୍ତ ରେଗୁଲୁପାଡୁରେ ପ୍ରସ୍ତାବିତ ମହେନ୍ଦତନୟା ଡ୍ୟାମ୍ ଅତିଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଲାପେଟା ବନ୍ଦରର ଶୁଭ ଦେବା ପାଇଁ ଆସି ମୁଖ୍ୟମନ୍ତ୍ରୀ ଜଗନ ଶ୍ରୀକାକୁଲମରେ ପହଞ୍ଚିଥିଲେ। ଭୂମିପୂଜା ଓ ସମୁଦ୍ର ପୂଜନ ପରେ ନୌପଡ଼ା ଏବଂ ସାନ୍ତା ବୋମାଲି ଗ୍ରାମରେ ସଭାରେ ଉଦ୍ବୋଧନ ଦେଇ କରିଥିଲେ, ମହେନ୍ଦ୍ରତନୟା ନଦୀ ଜଳକୁ ଆନ୍ଧ୍ରବାସୀ କିପରି ଉପଯୋଗ କରି ପାରିବେ ସେ ନେଇ ପ୍ରସ୍ତୁତି ଚାଲିଛି।
୨୦୦୮ ମସିହାରେ ଜଗନଙ୍କ ପିତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ରାଜଶେଖର ରେଡ୍ଡୀ ପଲାସା ନିକଟସ୍ଥ ରେଗୁଲପାଡୁ ଠାରେ ଏକ ଡ୍ୟାମ୍ ନିର୍ମାଣର ଶୁଭ ଦେଇଥିଲେ। ସେତେବେଳେ, ଗଜପତି ଜିଲ୍ଲାବାସୀ ଏହାର ଦୃଢ଼ ବିରୋଧ କରିଥିଲେ। ବିରୋଧୀ ତମ୍ବିତୋଫାନ୍ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ଚମ୍ପାପୁର ଓ ଡମ୍ବାପୁର ନିକଟରେ ମହେନ୍ଦ୍ରତନୟା ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏହି ବିବାଦ ଦୁଇ ରାଜ୍ୟ ମଧ୍ୟରେ ପ୍ରାୟ ୪ରୁ ୫ ବର୍ଷ ହେଲା ଲାଗି ରହିଥିଲା ଏବଂ ଶେଷରେ ଏହା ରାଷ୍ଟ୍ରୀୟ ଜଳବିବାଦ ଟ୍ରିବ୍ୟୁନାଲ ପାଖରେ ସମାଧାନ ପାଇଁ ପହଞ୍ଚିଥିଲା। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସରକାର ଚମ୍ପାପୁର ଓ ଡମ୍ବାପୁରରେ ଡ୍ୟାମ୍ ନିର୍ମାଣ କାମ ଆରମ୍ଭ କରି ପ୍ରାୟ ଅଧାଅଧି କାମ ସାରିଲେଣି।
ଏପଟେ, ରେଗୁଲୁପାଡୁ ନିକଟରେ ଅନ୍ଧ୍ରର ପ୍ରସ୍ତାବିତ ଡ୍ରାମ୍ ନିମନ୍ତେ ବିସ୍ଥାପନ କାର୍ଯ୍ୟ ଅଧାରେ ଅଟକି ରହିଥିବା ବେଳେ ମହେନ୍ଦ୍ରତନୟା ନଦୀରୁ ଜଳ ପଲାସା ଅଞ୍ଚଳରେ ବାଣ୍ଟିବା ପାଇଁ କେନାଲ କାମ ସମାପ୍ତ ହୋଇସାରିଛି। ଏଣୁ, ଜଗନଙ୍କ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରିତା ସମ୍ପର୍କରେ ବାର୍ତ୍ତା ଦେବା ନିଶ୍ଚିତ ଭାବେ ଗଜପତି ଜିଲ୍ଲା ବିଶେଷ କରି ପାରଳାଖେମୁଣ୍ଡି ପାଇଁ ସତର୍କ ଘଣ୍ଟି ବୋଲି ମନେ କରାଯାଉଛି। ରେଗୁଲୁପାଡୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାରଳା ସହର ସମେତ ଗୋଷାଣୀ ବ୍ଳକ୍ର ଚାଷୀଙ୍କ ପାଇଁ ପାନୀୟ ଜଳ ଓ ସେଚ ପାଇଁ ପାଣି ସଂକଟ ଦେଖାଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/850f966e-0b9d-4f07-ac9f-1bfaf15d6f13.jpg)