ରଣପୁର: ରାଜରାଜୁଡ଼ା ଅମଳରୁ ପାଳିତ ହୋଇଆସୁଥିବା ଐତିହାସିକ ରଣପୁର ରଥଯାତ୍ରା ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଶ୍ରୀକ୍ଷେତ୍ରରେ ଥିବା ନରେନ୍ଦ୍ର ପୁଷ୍କରିଣୀ ଓ ଅଠରନଳା ତତ୍କାଳୀନ ରଣପୁର ରାଜାଙ୍କ ସଂପର୍କ କାରଣରୁ ଏ ଅଞ୍ଚଳର ଗୁରୁତ୍ବ ଟିକିଏ ସ୍ବତନ୍ତ୍ର। କିମ୍ବଦନ୍ତୀ କୁହେ, ରଣପୁରର ୯୨ତମ ରାଜା ଉଦ୍ଧବ ସିଂହ ପ୍ରତି ମହାପ୍ରଭୁଙ୍କ ଯାତ୍ରାରେ ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ ସାରି ଫେରୁଥିଲେ। କିନ୍ତୁ ଏକଦା ଜଙ୍କିଆ ଗଡ଼ ନିକଟରେ ବନ୍ୟା ହେତୁ ଅଟକି ଯାଇ ପରଦିନ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ପୂର୍ବଦିନ ଦେବଦର୍ଶନରୁ ବଞ୍ଚିତ ହୋଇଥିବାରୁ ରାଜା ଦୁଃଖରେ ଶ୍ରୀମନ୍ଦିରସ୍ଥ ବଟବୃକ୍ଷ ମୂଳରେ ସାତ ଦିନ ଅଧିଆ ପଡ଼ିଲେ। କାଳିଆ ଠାକୁର ରାଜାଙ୍କର ମନବ୍ୟଥା ବୁଝିପାରି ରାତିରେ ତତ୍କାଳୀନ ଗଜପତି ପ୍ରତାପରୁଦ୍ରଦେବଙ୍କୁ ସ୍ୱପ୍ନାଦେଶ ଦେଲେ। ପରଦିନ ଗଜପତି ରାଜା ଉଦ୍ଧବ ସିଂହଙ୍କୁ ଶାଢ଼ି ପ୍ରଦାନ ପୂର୍ବକ ‘ନରେନ୍ଦ୍ର’ ଉପାଧିରେ ଭୂଷିତ କଲେ। ରାଜା ଉଦ୍ଧବ ନରେନ୍ଦ୍ର ୧୩୬୩ ଖ୍ରୀଷ୍ଟାବ୍ଦରେ ରଣପୁରରେ ଶ୍ରୀମନ୍ଦିର ନିର୍ମାଣ କରାଇ, ଶ୍ରୀମାଧବ ଗୋସ୍ୱାମୀଙ୍କୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କଲେ। କିନ୍ତୁ ୧୦୪ତମ ରାଜା ସାରଙ୍ଗଧର ନରେନ୍ଦ୍ର ୧୭୫୪ ଖ୍ରୀଷ୍ଟାବ୍ଦରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ କରାଇ ରଣପୁରରେ ରଥଯାତ୍ରା ଆରମ୍ଭ କରିଥିଲେ।
ତେବେ ରଣପୁରର ୯୬ତମ ରାଜା ପଦ୍ମନାଭ ନରେନ୍ଦ୍ର ୧୪୭୬ ରୁ ୧୫୨୫ ଖ୍ରୀଷ୍ଟାବ୍ଦ ଯାଏଁ ଶାସନ କରିଥିଲାବେଳେ ତତ୍କାଳୀନ ପୁରୀ ଗଜପତି ମୁକୁନ୍ଦଦେବଙ୍କ କନ୍ୟା (କୁମାରୀ)ଙ୍କୁ ବିବାହ କରିଥିଲେ। ଫଳରେ ରାଜା ମୁକୁନ୍ଦଦେବ ଯୌତୁକ ସ୍ୱରୂପ ମାର୍କଣ୍ଡେଶ୍ୱରସାହିକୁ ପଦ୍ମନାଭଙ୍କୁ ଦେଇଥିଲେ। ଏହି ସାହିରୁ ଆଦାୟ ହେଉଥିବା ରାଜସ୍ବ ରାଜା ପଦ୍ମନାଭଙ୍କୁ ଦିଆଯାଉଥିଲା। କିନ୍ତୁ ଏଭଳି ଅର୍ଥ ଗ୍ରହଣ ନକରିବାକୁ ରାଣୀ କୁମାରୀ ମନାକରିବା ସହ ଏହାକୁ ଫେରାଇଦେବାକୁ ନିଜ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅର୍ଥ ଫେରାଇବା ପରିବର୍ତ୍ତେ ରାଜା ପଦ୍ମନାଭଙ୍କ ନିର୍ଦେଶକ୍ରମେ ନରେନ୍ଦ୍ର ପୁଷ୍କରିଣୀ ନିର୍ମାଣ କରିଥିଲେ। ସେହିପରି ରାଜା ପଦ୍ମନାଭଙ୍କ ଔରସରୁ ୧୮ଟି ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲେ। କିନ୍ତୁ କଳାପାହାଡ଼ର ଆକ୍ରମଣରେ ୧୭ ଜଣ ପୁଅଙ୍କ ନିଧନ ଘଟିଥିଲା। ବଞ୍ଚିଯାଇଥିବା ସର୍ବକନିଷ୍ଠ ପୁତ୍ର ପାର୍ଥ ଶ୍ରୀଚନ୍ଦନ ନରେନ୍ଦ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପ୍ରବେଶପଥରେ ଅଠରନଳା ସ୍ଥାପନ କରିଥିଲେ, ଯାହା ଆଜି ଅଠରନଳା ଭାବେ ପରିଚିତ। ସେହିପରି ୧୦୦ତମ ରାଜା ବନମାଳୀ ନରେନ୍ଦ୍ର ୧୬୨୮ରୁ ୧୬୯୩ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାରରେ ଏକ ମନ୍ଦିର ନିର୍ମାଣ କରି ରାମ ଲକ୍ଷ୍ମଣ ମୂର୍ତ୍ତି ସ୍ଥାପନ କରିଥିଲେ। ଏହା ଏବେବି ବିଦ୍ୟମାନ ଥିବାବେଳେ ପ୍ରଭୁ ପୂଜାପାଇଆସୁଛନ୍ତି। ତେବେ ସଂପ୍ରତି ୧୧୨ତମ ରାଜା ଦିଲୀପ ଚନ୍ଦ୍ର ସିଂହଦେଓ ପ୍ରତି ବର୍ଷ ରଣପୁର ରଥଯାତ୍ରାରେ ତିନି ରଥରେ ଛେରାପହଁରା କରି ଆସୁଛନ୍ତି।