ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ଗାଈସିଲାଟ ମୁଖ୍ୟ ରାସ୍ତାର ତମିଆଁ ଓ ସୁନାମୁଦି ଛକ ମଧ୍ୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ତାଙ୍କ ସମ୍ପର୍କୀୟ ଟଙ୍କଧର ବିଶ୍ବାଳ (୩୫)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ ଚାଳକ ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଛନ୍ତି। ପରେ ତାଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପାଟଣାଗଡ଼-ଗାଈସିଲାଟ ମୁଖ୍ୟ ରାସ୍ତାରେ ରାଜ୍ୟସଭା ସାଂସଦ ଶ୍ରୀ ବିଶିଙ୍କ ଇନୋଭା କାର୍ (ଓଡି-୦୩ଏକ୍ସ-୪୬୧୩) ଲରମ୍ଭା ପଟକୁ ଯାଉଥିଲା। ସେତେବେଳେ ବିପରୀତ ଦିଗରୁ ସ୍କୁଟି (ଓଡି-୦୩ଡି-୭୬୦୯) ଯୋଗେ ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଇନ୍ଦପୁର ଗାଁର ଟଙ୍କଧର ଆସୁଥିଲେ। ତମିଆଁ ଓ ସୁନାମୁଦି ଛକ ମଝିରେ ଥିବା ବୁଲାଣିଠାରେ ଉକ୍ତ ସ୍କୁଟିକୁ କାର୍ଟି ଧକ୍କା ଦେଇଥିଲା। ଟଙ୍କଧର ଛିଟିକି ପଡ଼ି ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ଚାଳକ ଦ୍ରୁତ ଗତିରେ କାର୍ ନେଇ ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଲରମ୍ଭା ଓ ପାଟଣାଗଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହକୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିଲା।
ଦୁର୍ଘଟଣା ସମୟରେ ଗାଡ଼ିରେ ସାଂସଦ ଶ୍ରୀ ବିଶି ନଥିବା ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କାର୍ ନେଇ ଚାଳକ ସାଂସଦଙ୍କ ପୈତୃକ ଗ୍ରାମକୁ ଚାଉଳ ଓ ଆମ୍ବ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ବୋଲି ସେ କହିଛନ୍ତି। ମୃତ ଟଙ୍କଧର ସାଂସଦ ଶ୍ରୀ ବିଶିଙ୍କ ସଂପର୍କୀୟ ଏବଂ ସେ ସନ୍ଧ୍ୟାରେ ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି। ଅପରପକ୍ଷରେ ଦୁର୍ଘଟଣା ସମୟରେ ସାଂସଦ ଗାଡ଼ିରେ ଉପସ୍ଥିତ ଥିଲେ ବୋଲି ମଧ୍ୟ କିଛିଲୋକ ଆଲୋଚନା କରୁଛନ୍ତି।