ବୌଦ୍ଧ: ସୋମବାର ଅପରାହ୍ଣ ପ୍ରାୟ ୩ଟା ୪୫ମିନିଟ୍ରେ ପୁରୁଣାକଟକ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଡ଼ଠୁ ମୁଣ୍ଡ ଯାଏଁ ଘୋଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦୁଇଜଣ କାନ୍ଧରେ ବୋହି ନେଇ ଯାଉଥିଲେ। ବୁଝିବାରୁ ଯାହା ଜଣାପଡ଼ିଲା, କାନ୍ଧରେ ବୁହା ହୋଇ ଯାଉଥିବା ବ୍ୟକ୍ତିଜଣକ ହେଲେ ରବି ନାଏକ (୪୯)। ତାଙ୍କ ପ୍ରକୃତ ଘର ବୌଦ୍ଧ ଅନ୍ତର୍ଗତ ପୁରୁଣା କଟକ ଡାକ୍ତରଖାନା ପଛ ପାଖରେ ହୋଇଥିଲେ ମଧ୍ୟ ସେ କଲୋନି ସାହିରେ ରହୁଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସୋମବାର ପୂର୍ବାହ୍ଣ ୧୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରବର୍ଗ ବହୁ ସମୟ ଅପେକ୍ଷା କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଗାଡ଼ି ପାଇଁ ଗୁହାରି କରିଥିଲେ।
ହେଲେ ଶବ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିଲାନି। ଘରୋଇ ଅଟୋ ଭଡ଼ା ବାବଦରେ ୧୫ ଶହ ଟଙ୍କା ଦାବି କରିବାରୁ ମୃତକଙ୍କ ପରିବାରବର୍ଗ ଅସହାୟତା ପ୍ରକାଶ କରିଥିଲେ। ଶେଷରେ ଅନ୍ୟ କିଛି ଉପାୟ ନପାଇ ମୃତକଙ୍କୁ କାନ୍ଧରେ ବୋହି ଘରକୁ ନେଉଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
କୌଣସି ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଆର୍ଥିକ ସ୍ବଚ୍ଛଳ ନଥିବା ପରିବାରବର୍ଗଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୃତକଙ୍କ ଶବକୁ ଘର ପର୍ଯ୍ୟନ୍ତ ସସମ୍ମାନେ ପହଞ୍ଚାଇବା ପାଇଁ ଡାକ୍ତରଖାନାମାନଙ୍କରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ହୋଇଛି। ପୁରୁଣାକଟକ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ଅଛି। କିନ୍ତୁ ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ଶବ ପଡ଼ିରହିବା ପରେ ମଧ୍ୟ କାହିଁକି ରବିଙ୍କ ପରିବାରବର୍ଗଙ୍କୁ ଏହି ସୁବିଧା ମିଳିଲାନି, ତାହା ତଦନ୍ତ ସାପେକ୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/XryQ10rDcJzCTq8SoH05.jpg)