କାନ୍ଧ ଦେବାକୁ ମନାକଲେ ସମ୍ପର୍କୀୟ, ସତ୍କାର କଲେ ସ୍ବାସ୍ଥ୍ୟ କର୍ମଚାରୀ

ମାହାଙ୍ଗା : କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରି ସାହିଭାଇ ଓ ସମ୍ପର୍କୀୟ ମରଶରୀରରେ କାନ୍ଧ ନ ଦେବା ଘଟଣା ଆଜି ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶେଷରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପହଞ୍ଚି ତାଙ୍କର ଶବ ସତ୍କାର କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପୁରୀରେ ଏକ ହୋଟେଲରେ କାର୍ଯ୍ୟ କରୁଥିବା ମାହାଙ୍ଗା ଥାନା ପାଇକରାପୁର ବ୍ରାହ୍ମଣମଣିଯୋରୀ ଗ୍ରାମର କିଶୋର ଚନ୍ଦ୍ର ଜେନା କିଛିଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସେ ଗତ ୨୦ ତାରିଖ ଦିନ ଘରକୁ ଚାଲି ଆସିଥିଲେ। ଗତ ୨୩ ତାରିଖରେ କିଶୋର ଅଧିକ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ସେ ଘରକୁ ଫେରି ଆସିଥିଲେ। ଆଜି ହଠାତ୍ କିଶୋର ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ପ୍ରାଣ ହରାଇଥିଲେ। ‌ତେବେ କିଶୋରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବା ସହ ସେ କରେନା ସଂକ୍ରମଣରେ ପ୍ରାଣ ହରାଇଥିବା ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ସମ୍ପର୍କୀୟ, ସାହିଭାଇ ଓ ଆତ୍ମୀୟସ୍ବଜନ ଶବରେ କାନ୍ଧ ଦେବାକୁ ଆସି ନ ଥିଲେ। ଫଳରେ ଦୀର୍ଘ ସମୟ ଶବ ପଡ଼ିରହିଥିଲା।

ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିତ୍ତ ପରିଚାଳକ ସନ୍ତୋଷ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସରେ ଶବ ଶ୍ମଶାନକୁ ନେଇ ସତ୍କାର କରିଥିଲେ। କିଶୋରଙ୍କ ପୁଅ ମୁଖାଗ୍ନି ଦେଇଥିଲେ ମଧ୍ୟ ଅନ୍ୟ କୌଣସି ସଂପର୍କୀୟ ସେଠାକୁ ଯାଇ ନ ଥିଲେ। ମେଡିକାଲ କର୍ମଚାରୀ ସ୍ମୃତିରଂଜନ ସିଂହ, କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, ମାୟାଧର ବେହେରା, ସମୀର ଜେନା ପ୍ରମୁଖ ଶବ ସତ୍କାରରେ ସହଯୋଗ କରିଥିଲେ। ଏହି କାର୍ଯ୍ୟ ପାଇଁ ମେଡିକାଲ କର୍ମଚାରୀମାନଙ୍କୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର