କୋହଳ ହେଲା କଟକଣା : ଚାଷ, ଉଦ୍ୟାନ କୃଷି କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଲେ ସରକାର, ଧାନ ବୁଣା, ଋଣ ପ୍ରଦାନ, ଅମଳ ସବୁ ହୋଇପାରିବ

ସାମାଜିକ ଦୂରତ୍ବ ରକ୍ଷା କରି ଚାଲିପାରିବେ ଶିଳ୍ପସଂସ୍ଥା
ଖୋଲିବ ଢାବା, ରେସ୍ତୋରାଁ ଓ ହୋଟେଲ
ସେଠି ଖାଇବେନି, ଖାଦ୍ୟ ମଗାଇ ପାରିବେ

ଭୁବନେଶ୍ବର : ଲକ୍‍ଡାଉନ୍‍ ସମୟରେ ସମସ୍ତ ପ୍ରକାର କୃଷିକାର୍ଯ୍ୟ କରାଯାଇପାରିବ। ଧାନ ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ। ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ବି ଖୋଲା ରହିବ। ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ। କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଓ ବିକ୍ରିବଟା ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ। ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର୍ ଚଳାଚଳ କରିପାରିବ।

ସାଂପ୍ରତିକ ପରିସ୍ଥିତିର ଗୁରୁତ୍ବ ଉପଲବ୍ଧି କରି ଶେଷରେ ରାଜ୍ୟ ସରକାର ଏଭଳି ଢଙ୍ଗରେ ଲକ୍‌ଡାଉନ୍ କଟକଣାରେ କିଛି ଅଂଶରେ କୋହଳ କରିଛନ୍ତି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ନିଜେ ଏସ୍‌ଆରସି ପ୍ରଦୀପ କୁମାର ଜେନା ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ତେବେ କୌଣସି ପରିସ୍ଥିତିରେ ଯେପରି ସାମାଜିକ ଦୂରତ୍ବ କେଉଁଠାରେ ବି ଉଲ୍ଲଂଘନ ନହୁଏ, ଏହାକୁ ସମସ୍ତେ ନିଶ୍ଚିତ କରିବାକୁ ପଡ଼ିବ େବାଲି ସ୍ପଷ୍ଟ କରିଦିଆଯାଇଛି। ଅନ୍ୟପକ୍ଷରେ ରାଜଧାନୀରେ ଏବେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ହେବ ବୋଲି ଏସ୍‌ଆରସି କହିଛନ୍ତି।

ଶ୍ରୀ ଜେନା କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ଅବଧି ସଫଳ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟ ଲାଗି ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଚାଷୀଙ୍କୁ ଖରିଫ୍ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇପାରିବେ। ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ ଏବଂ ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର ଚଳାଚଳ କରିପାରିବ। ଚାଷ କାର୍ଯ୍ୟରେ ଟ୍ରାକ୍ଟର ବ୍ୟବହାର ହେବ ଏବଂ ରାଜ୍ୟ ଭିତରୁ କିମ୍ବା ରାଜ୍ୟ ବାହାରୁ ଚାଷୀମାନେ କୃଷି ଯନ୍ତ୍ରପାତି ପରବହନ କରି ଆଣିପାରିବେ। ଲକ୍‍ ଡାଉନ୍‍ ସମୟରେ ରାଜ୍ୟରେ କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି ଦୋକାନ ମଧ୍ୟ ଖୋଲା ରହିବ।

ସେହିଭଳି ବିହନ ବୁଣା ଓ ବିହନ ପରିବହନ କାର୍ଯ୍ୟ ଜାରି ରହିବ। ମତ୍ସ୍ୟ ପାଳନ ଆଦି ବି। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡିତ ସମସ୍ତ କାର୍ଯ୍ୟ ଉପରେ ଆଉ କଟକଣା ନାହିଁ। ସମୁଦ୍ରରେ ମାଛ ଧରିପାରିବେ ଓ ମାଛ ଜାଲ କାରଖାନା ଖୋଲା ରହିପାରିବ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗୁଡିକ ମଧ୍ୟ କାର୍ଯ୍ୟ କରିବ। ସମସ୍ତ ପ୍ରକାର ଉଦ୍ୟାନ କୃଷି କାର୍ଯ୍ୟ ହୋଇପାରିବ। ନାଫେଡ୍‍ ଓ ମାର୍କଫେଡ ମାଧ୍ୟମରେ ଖାଦ୍ୟ ଦ୍ରବ୍ୟ ସଂଗ୍ରହ ଓ ପରିବହନ ପାଇଁ ସରକାର ଅନୁମତି ଦେଇଛନ୍ତି।

ବିଭିନ୍ନ ଶିଳ୍ପ ସଂସ୍ଥା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ କର୍ମଚାରୀମାନେ ସଂପୃକ୍ତ ସଂସ୍ଥା ପରିସରରେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଯାନବାହନ ଚଳାଚଳ କରିବ। ଢାବା ଖୋଲିବ। କିନ୍ତୁ ଗାଡି ଚାଳକମାନେ ସେଠାରୁ ଖାଦ୍ୟ ନେଇ ଦୂରରେ ଖାଇପାରିବେ। ହୋଟେଲ ଓ ରେସେସ୍ତୋରାଁରୁ ଲୋକେ ଖାଦ୍ୟ ମଗାଇ ନିଜ ଘରେ ଖାଇପାରିବେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ସହିତ ସ୍ୱଚ୍ଛ ଭାରତ ଯୋଜନାରେ ହେଉଥିବା ପାଇଖାନା ନିର୍ମାଣ କାର୍ଯ୍ୟକୁ ଲକ୍‍ଡାଉନ୍‍ରୁ ବାଦ୍‍ ଦିଆଯାଇଛି। ଏହି ସବୁ ନିର୍ମାଣ କାର୍ଯ୍ୟ ସହିତ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ସମୟରେ ମନେରଗା କାର୍ଯ୍ୟ ଚଳାଇବାକୁ ସରକାର ସ୍ଥିର କରିଛନ୍ତି। ଗାଁ ଗହଳରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିବେ।

ଜଳ ଯୋଗାଣ ଲାଗି କୂପ, ନଳକୂପ ଆଦି ଖୋଳାଯିବା ସହିତ ତାହାର ମରାମତି କାର୍ଯ୍ୟ ଲକ୍‍ ଡାଉନ୍‍ ସମୟରେ ହୋଇପାରିବ। ପାଇପ୍ ଆଦି ମରାମତି ବି। ସେହିଭଳି ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ସଂସ୍ଥା ଗୁଡିକ ମାଧ୍ୟମରେ ଲୋକେ ନିଜ ନିଜ ସାମଗ୍ରୀ ମଗାଇ ପାରିବେ ଓ ସେମାନେ ମଧ୍ୟ ସାମଗ୍ରୀ ଲୋକଙ୍କ ଘରେ ପହଞ୍ଚାଇବେ।

ରାଜ୍ୟରେ ପଶୁ ଡାକ୍ତରଖାନା ଗୁଡିକ ଖୋଲା ରଖିବା ପାଇଁ ସ୍ଥିର ହୋଇଛି। କେନ୍ଦୁପତ୍ର ତୋଳାଳିଙ୍କୁ ଲକ୍‍ ଡାଉନ୍‍ରୁ ବାଦ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଅବଧି ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ବୃକ୍ଷ ରୋପଣ, ନର୍ସରି କାର୍ଯ୍ୟକ୍ରମ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିକ୍ରିବଟା, ବନ୍ୟପ୍ରାଣୀମାନଙ୍କ ନିମନ୍ତେ ଜଙ୍ଗଲରେ ଜଳାଶୟ ନିର୍ମାଣ ଓ ସେଗୁଡ଼ିକର ମରାମତି କାର୍ଯ୍ୟ କରାଯାଇପାରିବ।

ସମ୍ବନ୍ଧିତ ଖବର