ପଦୋନ୍ନତି ନିୟମରେ କୋହଳ, ସାତ ବର୍ଷରେ ଏସ୍‌ଆଇ ହେ‌ବେ ଇନ୍‌ସ୍ପେକ୍ଟର୍‌

ଅପେକ୍ଷାରେ ୨୬୦ ଆଶାୟୀ

କଟକ: ଇନସ୍ପେକ୍ଟର ହେବା ପାଇଁ ସବ୍‌ ଇନସ୍ପେକ୍ଟର (ଏସ୍‌ଆଇ)ଙ୍କ ସର୍ବନିମ୍ନ ୧୦ବର୍ଷ କାର୍ଯ୍ୟକାଳ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ପାଇଁ ଏହି କାର୍ଯ୍ୟକାଳ ନିୟମକୁ ୭ ବର୍ଷ ବିଚାର କରିବାକୁ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ଏକ ନିର୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦେଶକ(ଡିଜି)ଙ୍କୁ ଚିଠି ଲେଖି ନିର୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଗଲା ୧୧ ତାରିଖ ଦିନ ଏହି ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟରେ ଖାଲି ପଡ଼ିଥିବା ୨୬୦ଟି ଇନସ୍ପେକ୍ଟର୍‌ ପଦବି ପୂରଣ ଦିଗରେ ପଦକ୍ଷେପ ନେବା ପାଇଁ ଏଭଳି ନିୟମ କୋହଳ କରାଯାଇଛି। କିନ୍ତୁ ୮ ଦିନ ପରେ ବି ପଦୋନ୍ନତି ସ୍ଥିତି ସ୍ପଷ୍ଟ ହେଉ ନଥିବାରୁ ଏହାକୁ ନେଇ ଆଶାୟୀମାନେ ଆଶଙ୍କାରେ ଅଛନ୍ତି। ସାଧାରଣ ନିର୍ବାଚନ ପାଇଁ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସେହି କାରଣରୁ ଆଉ ମାତ୍ର ୮ ଦିନ ସମୟ ରହିଥିଲେ ବି ପଦୋନ୍ନତି ତାଲିକା ପ୍ରକାଶ ନ ପାଇବା ଆଶଙ୍କାର କାରଣ ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସାଧାରଣ ଭାବେ ୧୦ବର୍ଷ କାର୍ଯ୍ୟ କରିବା ପରେ ଏସ୍‌ଆଇଙ୍କୁ ଇନସ୍ପେକ୍ଟର୍‌ ପଦବିକୁ ପଦୋନ୍ନତି ଦିଆଯାଉଥିଲା। ମାତ୍ର ରାଜ୍ୟରେ ଆବଶ୍ୟକ ଇନସ୍ପେକ୍ଟର୍‌ଙ୍କ ଅଭାବ ଦୃଷ୍ଟିରୁ ରାଜ୍ୟ ପୁଲିସ ଡିଜି ଏହି ସମୟସୀମାକୁ କୋହଳ କରିବା ପାଇଁ ଗୃହ ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲେ। ଗୃହ ବିଭାଗ ଏହି ପ୍ରସ୍ତାବକୁ ଗ୍ରହଣ କରିବା ପୂର୍ବକ ପୁଲିସ ମାନୁଆଲ୍‌ ରୁଲ୍‌-୬୫୦(ii)ରେ ଥିବା ୧୦ବର୍ଷର ସମୟସୀମାକୁ ୭ବର୍ଷକୁ କମାଇ ଦେଇଛି। ଅର୍ଥାତ୍ ଚଳିତବର୍ଷ ସୁଦ୍ଧା ସାତ ବର୍ଷ ଏସ୍‌ଆଇ ଭାବେ କାର୍ଯ୍ୟ କରିଥିବା ପୁଲିସ ଅଧିକାରୀ ଇନସ୍ପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପାଇବେ। ଅବଶ୍ୟ ଏଥିପାଇଁ ଅନ୍ୟ କେତେକ ଆଧାର ରହିଛି। ଗତ ୧୧ତାରିଖରେ ଗୃହ ବିଭାଗ ପ୍ରମୁଖ ସଚିବ ରାଜ୍ୟ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଏ ସଂକ୍ରାନ୍ତରେ ଚିଠି(ନଂ-୬୫୧୯) କରିଛନ୍ତି। ଚିଠି ଜାରି ତାରିଖରୁ ହିଁ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଉଲ୍ଲେଖ ରହିଛି। ରେକର୍ଡ କହୁଛି, ରାଜ୍ୟ ପୁଲିସ ବିଭାଗର ଥାନା, ସ୍ପେଶାଲ ବ୍ରାଞ୍ଚ, କ୍ରାଇମ୍‌ବ୍ରାଞ୍ଚରେ ମଞ୍ଜୁରିପ୍ରାପ୍ତ ଇନ୍‌ସ୍ପେକ୍ଟର ପଦବି ସ˚ଖ୍ୟା ହେଉଛି ୧୨୨୭। ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ୯୬୭ ଇନ୍‌ସ୍ପେକ୍ଟର। ଅବଶିଷ୍ଟ ୨୬୦ ପଦବି ଖାଲି ପଡ଼ିଛି। ରାଜ୍ୟରେ ଏତେ ସ˚ଖ୍ୟାରେ ଖାଲି ପଦବିକୁ ପୂରଣ କରିବା ଉଦ୍ଦେଶ୍ୟରେ ପଦୋନ୍ନତି ଧାର୍ଯ୍ୟ ନିୟମ ୧୦ ବର୍ଷ ମାନଦଣ୍ତକୁ ହ୍ରାସ କରିବା ପାଇଁ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଗୃହ ବିଭାଗ ଏହି ପ୍ରସ୍ତାବକୁ ଗ୍ରହଣ କରି ଚଳିତବର୍ଷ ନିଯୁକ୍ତ ପାଇଁ ୧୦ବର୍ଷର ସମୟସୀମାକୁ ସାତ ବର୍ଷକୁ କମାଇ ଦେଇଛନ୍ତି। ଫଳରେ ଖାଲି ପଡ଼ିଥିବା ୨୬୦ ଇନସ୍ପେକ୍ଟର ପଦବି ପୂରଣ ହେବା ବାଟ ଖୋଲି ଯାଇଛି। ହେଲେ କେବେ ଏହି ନିର୍ଦେଶ କାର୍ଯ୍ୟକାରୀ ହେଉଛି, ତାହାରି ଉପରେ ସଭିଙ୍କ ନଜର ରହିଛି। ଅନ୍ୟପଟେ ଏହି କୋହଳ ନିୟମ ଏବଂ ଯୋଗ୍ୟତା ଆଧାରରେ ଖୁବ୍‌ଶୀଘ୍ର ପଦୋନ୍ନତି ତାଲିକା ପ୍ରସ୍ତୁତ କରାଯାଉଛି ବୋଲି ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣା ପଡିଛି।

ସମ୍ବନ୍ଧିତ ଖବର