କଟକ: ଅନେକ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍ର ଚାରି କାନ୍ଥ ଭିତରେ ଅସହାୟ ଲୋକ ସଢ଼ୁଥିଲେ। ବେଲ୍ ମିଳୁଥିଲେ ସୁଦ୍ଧା ବେଲ୍ ବଣ୍ଡ୍ ଦାଖଲ କରିପାରୁ ନଥିବାରୁ ସେମାନେ ଜେଲ୍ରୁ ମୁକୁଳିପାରୁ ନଥିଲେ। ଏ ପ୍ରକାର ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଜେଲ୍ ଓ୍ଵାରି ସର୍ଭେରେ ଚୌଦ୍ୱାର ସର୍କଲ୍ ଜେଲ୍ରୁ ୨୫ ଜଣ ବିଚାରାଧୀନ କଏଦୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସହାୟତାରେ ଆର୍ଥିକ ସହାୟତା ଯୋଗାଇବା ସହିତ ୧୨ ଜଣଙ୍କୁ ଜେଲ୍ରୁ ଖଲାସ କରାଯାଇଥିବା ସୂଚନା ମିଳିଛି।
ନଭେମ୍ବର ୯ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଜାତୀୟ ଆଇନ ସେବା ଦିବସ ଜିଲ୍ଲା ବ୍ୟାପୀ ଅନୁଷ୍ଠିତ ହେବା ଅବସରରେ କୋର୍ଟରୁ ବେଲ୍ ମିଳିଥିବା କଏଦୀ କାହିଁକି ଜେଲ୍ରୁ ଖଲାସ ହୋଇପାରୁନାହାନ୍ତି, ସେ ନେଇ ଏକ ସ୍ୱତନ୍ତ୍ର ସର୍ଭେ କରିବା ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା) ପକ୍ଷରୁ ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ରେ ପ୍ୟାନେଲ୍ ଲୟର୍ସ ଏବଂ ପାରାଲିଗାଲ୍ ଭଲ୍ୟୁଣ୍ଟରଙ୍କୁ ସାମିଲ କରାଯାଇଥିଲା। ସେହି ଢଂଗରେ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଟିମ୍ ଗଠନ କରାଯାଇ ଚୌଦ୍ୱାର ସର୍କଲ୍ ଜେଲ୍ରେ ଏକ ସପ୍ତାହ ବ୍ୟାପୀ ସର୍ଭେ କରାଯାଇ ୨୫ ଜଣ ଅସହାୟ ବିଚାରାଧୀନ କଏଦୀଙ୍କୁ ଚିହ୍ନଟ କରାଯାଇଥିଲା। ଏମାନେ ମୁଖ୍ୟତଃ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଅଭାବରୁ କୋର୍ଟରେ ବେଲ୍ ବଣ୍ଡ୍ ଦାଖଲ କରିବାରେ ଅସମର୍ଥ ହେଉଥିଲେ। ସେମାନଙ୍କ ମଧ୍ୟରୁ ଆଉ କେତେକ କଏଦୀ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ଥିବା କାରଣରୁ ସହଜରେ ଖଲାସ ହୋଇପାରୁ ନଥିଲେ। ଆଇନଜୀବୀଙ୍କ ଜରିଆରେ ଅର୍ଥ ବ୍ୟୟ କରି ମାମଲା ପରିଚାଳନା କରିବାରେ ସେମାନେ ଅସମର୍ଥ ଥିବାରୁ ଖଲାସ ହେଇପାରୁ ନଥିବା ଜଣାପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟବ୍ୟାପୀ ଅଧିକାଂଶ ଜେଲ୍ରେ ଏଭଳି ସମାନ ଚିତ୍ର ସାମ୍ନାକୁ ଆସିଥିଲା। ତେଣୁ ଏସବୁକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ଭାବେ ଏହି ଶ୍ରେଣୀର କଏଦୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନଭେମ୍ବର ଶେଷ ସୁଦ୍ଧା ରାଜ୍ୟର ମୋଟ ୯୧ଟି ଜେଲ୍ରୁ ଅସହାୟ ଅବସ୍ଥାରେ ଥିବା ଏକ ହଜାର ବିଚାରାଧୀନ କଏଦୀଙ୍କୁ ଚିହ୍ନଟ କରାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରାଯାଇଥିଲାା ସେହି କ୍ରମରେ ଚୌଦ୍ୱାର ଜେଲ୍ରେ ହୋଇଥିବା ସର୍ଭେ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ଚିହ୍ନଟ ହୋଇଥିବା ୨୫ ଜଣ କଏଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିବାର ଲୋକଙ୍କ ସହିତ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ପରେ ସମ୍ପୃକ୍ତ କଏଦୀଙ୍କୁ ବେଲ୍ ବଣ୍ଡ୍ ବାବଦରେ ଆର୍ଥିକ ବ୍ୟବସ୍ଥା କରାଯାଇ ସେମାନଙ୍କୁ ଜେଲ୍ରୁ ଖଲାସ କରାଯାଇଛି। ଅବଶିଷ୍ଟ ୧୩ ଜଣ କଏଦୀ ଅନ୍ୟ ମାମଲାରେ ସମ୍ପୃକ୍ତ ଥିବାରୁ ସୋମନଙ୍କ ପାଇଁ କୋର୍ଟରେ ମାଗଣାରେ ମାମଲା ପରିଚାଳନା କରାଯିବା ପାଇଁ ପ୍ରାୟ ୧୦ ଜଣ ଆଇନଜୀବୀଙ୍କୁ ନିୟୋଜିତ କରାଯାଇଛି। ସମାନ ଭାବେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏ ପ୍ରକାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ ଏବେ ରାଜ୍ୟରେ ଥିବା ମୋଟ ୯୧ଟି ଜେଲ୍ ମଧ୍ୟରୁ ୧୫ ହଜାର ୯୬୫ ଜଣ କଏଦୀ ରହୁଥିବା ବେଳେ ଚୌଦ୍ୱାର ସର୍କଲ ଜେଲ୍ରେ ଉଭୟ ବିଚାରାଧୀନ ଏବଂ ଆଜୀବନ କଏଦୀଙ୍କ ସଂଖ୍ୟା ୧୧୩୭।