ଭୁବନେଶ୍ବର : ଯୁକ୍ତ୨ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ସୋମବାର ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୫୪ ହଜାର ୬୩୩ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୫ ହଜାର ୬୬୩ ଜଣ ସ୍ଲାଇଡ୍ ଅପ୍ ମାଧ୍ୟମରେ ଉପର କଲେଜକୁ ପଦୋନ୍ନତି ପାଇଛନ୍ତି। କଳାରେ ସର୍ବାଧିକ ୪୦ ହଜାର ୮୭୧ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧୦ ହଜାର ୩୮୨, ବାଣିଜ୍ୟରେ ୨ ହଜାର ୬୪୪, ଧନ୍ଦାମୂଳକ ବିଭାଗରେ ୪୬୭ ଓ ସଂସ୍କୃତ ବିଭାଗରେ ୨୬୯ ଜଣ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୮ ହଜାର ୮୪୪ ଜଣ ଛାତ୍ର, ୨୫ ହଜାର ୭୮୭ ଜଣ ଛାତ୍ରୀ ଓ ଦୁଇ ଜଣ କିନ୍ନର ରହିଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖରୁ ଅକ୍ଟୋବର ପହିଲା ମଧ୍ୟରେ କଲେଜରେ ନାମ ଲେଖାପାରିବେ। ଅକ୍ଟୋବର ୪ରେ ସ୍ପଟ୍ ନାମଲେଖା ପାଇଁ ଆବେଦନ ହେବ। ୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବା ସହ ୭ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ।
ଏଥର ବି କଟ୍ ଅଫ୍ ମାର୍କ ତାଲିକାରେ ରେଭେନ୍ସା କଲେଜ ସବୁଠୁ ଆଗରେ ରହିଛି। ସାଧାରଣ ବର୍ଗରେ କଳାରେ ରେଭେନ୍ସାର କଟ୍ ଅଫ୍ ମାର୍କ ୭୬.୫% ଥିବା ବେଳେ ବିଜେବିରେ ୭୬.୪, ଭଦ୍ରକ କଲେଜରେ ୭୩.୧୭, ଫକୀର ମୋହନ କଲେଜରେ ୭୩, ଶୈଳବାଳା କଲେଜରେ ୭୨.୬୭% ରହିଛି। ବିଜ୍ଞାନ ବିଭାଗରେ ରେଭେନ୍ସାର ସର୍ବାଧିକ ୯୦%, ବିଜେବିର ୮୮.୩୩, ସୋର ଉପେନ୍ଦ୍ରନାଥ କଲେଜର ୮୬.୩୩, ଫକୀର ମୋହନ କଲେଜରେ ୮୫.୫, ସରସ୍ବତୀ ବିଦ୍ୟା ମନ୍ଦିର, ନୀଳକଣ୍ଠନଗରର ୮୪.୬୭% କଟ୍ ଅଫ୍ ମାର୍କ ରହିଛି। ବାଣିଜ୍ୟରେ ରେଭେନ୍ସାରେ ୮୦, ରାଉରକେଲା ସରକାରୀ କଲେଜର ୭୯.୫, ଶୈଳବାଳା କଲେଜର ୭୫.୫, ବିଜେବିର ୭୩.୬୭, ଜେକେବିକେରେ ୭୨.୬୭% କଟ୍ଅଫ୍ ମାର୍କ ରହିଛି। ସଂସ୍କୃତ ବିଭାଗରେ ବଲାଙ୍ଗୀରସ୍ଥିତ ବିଦ୍ୟାଭୂଷଣ ସଂସ୍କୃତ କଲେଜର କଟ୍ ଅଫ୍ ମର୍କ ୪୩.୧୭% ଥିବା ବେଳେ ଧନ୍ଦାମୂଳକ ବିଭାଗରେ ଧର୍ମଗଡ଼ ସରକାରୀ କଲେଜର କଟ୍ ଅଫ୍ ମାର୍କ ସର୍ବାଧିକ ୭୦% ହୋଇଛି।