ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ: ବିଜେବି କଟ୍‌-ଅଫ୍‌ ମାର୍କ ଆଗରେ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩ (ସ୍ନାତକ) କଲେଜ‌ରେ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏଥର ବି ସବୁ ବିଭାଗ (ସଂସ୍କୃତ ବ୍ୟତୀତ)ରେ ଭୁବନେଶ୍ବରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌-ଅଫ୍‌ ମାର୍କ ସବୁଠାରୁ ଅଧିକ ରହିଛି। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩୭ହଜାର ଛାତ୍ରଛାତ୍ରୀ ନାମ ଲେଖାଇ ନ ଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୧୩ ହଜାର ୧୬୩ ଜଣଙ୍କୁ ବିଚାରକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦ ହଜାର ୬୧୧ଜଣଙ୍କୁ ଚୟନ କରାଯାଇଛି। ୩୬ହଜାର ୬୮୩ ଜଣ ସ୍ଲାଇଡ୍‌-ଅପ୍‌ ମାଧ୍ୟମରେ ଉପର କଲେଜକୁ ଯିବା ପାଇଁ ଅନୁରୋଧ କରିଥିବା ବେଳେ ୧୫ ହଜାର ୨୩୨ଜଣଙ୍କୁ ଅନୁମତି ମିଳିଛି। ଏହି ପର୍ଯ୍ୟାୟରେ କଳାରେ ୨୩ ହଜାର ୩୪୬, ଫିଜିକାଲ ସାଇନ୍ସରେ ୬ ହଜାର ୯୪୪, ବାୟୋଲୋଜିକାଲ ସାଇନ୍ସରେ ୫ ହଜାର ୮୨୮, ବାଣିଜ୍ୟରେ ୩ ହଜାର ୭୭୧, ସଂସ୍କୃତରେ ୨୩୭ ଓ ସେଲ୍ଫ ଫାଇନାନ୍ସିଂରେ ୪୮୫ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୯ ହଜାର ୨୪ଜଣ ଛାତ୍ର, ୨୧ ହଜାର ୫୮୪ ଛାତ୍ରୀ, ୩ଜଣ କିନ୍ନର ରହିଛନ୍ତି।

କଳା, ବାଣିଜ୍ୟ, ବିଜ୍ଞାନ ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌-ଅଫ୍‌ ମାର୍କ ଏଥର ବି ସର୍ବାଧିକ ରହିଛି। ବିଜେବି କଲେଜର ଭୂଗୋଳରେ କଟ୍‌-ଅଫ୍‌ ମାର୍କ ୮୯.୩୩% ଥିବା ବେଳେ ଅର୍ଥନୀତି ୮୬.୨%, ଇଂରାଜୀରେ ୮୯.୩୩%, ରାଜନୀତି ବିଜ୍ଞାନରେ ୮୬%, ମନୋବିଜ୍ଞାନରେ ୮୭.୫%, ନୃତତ୍ତ୍ବ ବିଜ୍ଞାନରେ ୮୩.୪%, ଗଣିତରେ ୮୭.୬୭%, ପରିସଂଖ୍ୟାନରେ ୮୨.୪%, ଓଡ଼ିଆରେ ୮୬.୮, ସାମାଜିକ ବିଜ୍ଞାନରେ ୮୫.୧୭% ରହିଛି। ବିଜ୍ଞାନ ବିଭାଗ(ଫିଜିକାଲ ଓ ବାୟୋଲୋଜିକାଲ ସାଇନ୍ସ)ରେ ମଧ୍ୟ ବିଜେବି ଆଗରେ ରହିଛି। ପଦାର୍ଥ ବିଜ୍ଞାନରେ କଟ୍‌-ଅଫ୍‌ ମାର୍କ ୯୫.୧୭% ରହିଥିବା ବେଳେ ଗଣିତରେ ୯୫%, ପରିସଂଖ୍ୟାନରେ ୯୨.୪%, ରସାୟନ ବିଜ୍ଞାନରେ ୯୩%, ପ୍ରାଣୀ ବିଜ୍ଞାନରେ ୯୫%, ଉଦ୍ଭିଦ ବିଜ୍ଞାନରେ ୯୨.୮% ରହିଛି। ବାଣିଜ୍ୟ ବିଭାଗରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌-ଅଫ୍‌ ମାର୍କ ସର୍ବାଧିକ ୮୮.୮% ହୋଇଛି। ସଂସ୍କୃତ ବିଭାଗରେ ବ୍ୟାକରଣ ବିଷୟରେ ଦେବଗଡ଼ ଜିଲ୍ଲା ରିଆମାଳସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୬୭.୨୯% ରହିଛି। ସେଲ୍ଫ ଫାଇନାନ୍ସିଂ ବିଭାଗରେ ବାୟୋ ଟେକ୍ନୋଲୋଜି ବିଷୟରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କଟ୍‌-ଅଫ୍‌ ମାର୍କ ସର୍ବାଧିକ ୯୧.୬% ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର