ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରିଲାଏନ୍ସ ଫାଉଣ୍ଡେସନ ଦେଲା ୨୫ କୋଟି ଟଙ୍କା, ତୃଣମୂଳ ସ୍ତରରେ ରିଲିଫ କାର୍ଯ୍ୟ ଜାରି

ଭୁବନେଶ୍ୱର: ଚଳିତ ବନ୍ୟାରେ ରିଲାଏନ୍ସ ଫାଉଣ୍ଡେସନ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ଦିନ ୨୫ କୋଟି ଟଙ୍କା ଦାନ କରିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏଥିପାଇଁ ସାମାଜିକ ଗଣମାଧ୍ୟମରେ କୃତଜ୍ଞତା ପ୍ରକାଶ କରିଛନ୍ତି । ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତରେ ଆସାମ ଲୋକଙ୍କ ସହିତ ଛିଡ଼ା ହୋଇଥିବାରୁ ସେ ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ବନ୍ୟାଜନିତ ରିଲିଫ ପ୍ରଦାନରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ଆସାମ ସରକାର ଓ ନାଗରିକ ସମାଜ ସଂଗଠନ ଗୁଡ଼ିକ ସହିତ ମିଶି ଆସାମର ଲୋକମାନଙ୍କୁ ପ୍ରାୟ ମାସେ ହେଲା ରିଲିଫ କାର୍ଯ୍ୟରେ ସହାୟତା ପ୍ରଦାନ କରୁଛି । ବନ୍ୟା ଆରମ୍ଭରୁ ରିଲାଏନ୍ସର ଏକ ଟିମ୍ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରାଣୀ ସଂପଦ ଓ ଭେଟେରେନାରୀ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ନାଗରିକ ସମାଜ ସଂଗଠନ ସହ ମିଶି କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ପ୍ରଦାନ ଓ ସେମାନଙ୍କ ଅସୁବିଧା ଦୂର ପାଇଁ କାର୍ଯ୍ୟ କରିଆସୁଛି । କଚର ଜିଲ୍ଲାର ସିଲଚର, କାଲାଇନ, ବୋରଖୋଲା ଓ କାଟିଗୋରହ ବ୍ଲକରେ ତୁରନ୍ତ ରିଲିଫ ସହାୟତା ପ୍ରଦାନ କରିଥିବାବେଳେ ନାଗାଓଁ ଜିଲ୍ଲାର କାଠିଆଟୋଲି, ରାହା, ନାଗାଓଁ ସଦର ଓ କାମପୁର ବ୍ଲକରେ ରିଲିଫ କାର୍ଯ୍ୟ ଚାଲୁ ରଖିଛି । ମେଡିକାଲ ଶିବିର ଆୟୋଜନ ସହିତ ଜରୁରୀକାଳୀନ ରିଲିଫ କିଟ୍ ବଣ୍ଟନ କରୁଛି । ଏହାବ୍ୟତୀତ ଗୋରୁଗାଈଙ୍କ ପାଇଁ ମଧ୍ୟ କଚର ଓ ନାଗାଓଁ ଜିଲ୍ଲାରେ ପଶୁ ଚିକିତ୍ସା ଶିବିରମାନ ଆୟୋଜନ କରିଛି । ରାଜ୍ୟରେ ଦୀର୍ଘଦିନ ଧରି ଅବିରତ ବର୍ଷା ହେବା ଫଳରେ ଏହି ଦୁଇ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ଜୁନ ୧ ତାରିଖରୁ ମେଡିକାଲ କ୍ୟାମ୍ପ ଆରମ୍ଭ ହୋଇଛି । ସେବେଠାରୁ ବନ୍ୟାଜନିତ ଅସୁବିଧାରୁ ଦେଖାଦେଇଥିବା ସ୍ୱାସ୍ଥ୍ୟବସ୍ଥା ପାଇଁ ୧୯୦୦ରୁ ଅଧିକ ଲୋକଙ୍କୁ ଯାଞ୍ଚ କରାଯାଇ ସେମାନଙ୍କୁ ଚିକିତ୍ସିତ କରାଯାଇଛି । ପଶୁ ଚିକିତ୍ସା ଶିବିରରେ ୧୦,୪୦୦ରୁ ଅଧିକ ଗୋରୁଗାଈଙ୍କ ଚିକିତ୍ସା କରାଯାଇଛି। ମେଡିକାଲ ଶିବିର ସହିତ ରିଲାଏନ୍ସ ଫାଉଣ୍ଡେସନ ପରିବାରଗୁଡ଼ିକୁ ରିଲିଫ କିଟ୍‌, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରୁଛି । ଆଜି ସୁଦ୍ଧା ୫୦୦୦ ପରିବାରକୁ କିଟ୍ ଯୋଗାଇ ଦିଆଯାଇଛି । ୨୦୨୧ରେ ବାତ୍ୟା ଓ ବନ୍ୟା ଭଳି ୮ଟି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଗୁଡ଼ିକୁ ରିଲାଏନ୍ସ ଫାଉଣ୍ଡେସନ ରିଲିଫ ସହାୟତା ଯୋଗାଇ ଦେଇଥିଲା । ବିପର୍ଯ୍ୟୟ ଆସିବା ପୂର୍ବରୁ ଓ ପରେ ବିଭିନ୍ନ ପରାମର୍ଶବଳୀ ଜାରି କରିବା ସହିତ ରିଲିଫ ପ୍ରଦାନ କରି ଫାଉଣ୍ଡେସନ ୧.୭ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର