ପାଟକୁରାରେ ରିଲିଫ ଟଙ୍କା ବଣ୍ଟା ଘଟଣା, ବିବାଦରେ ଫସିଲେ ବିଧାୟକ ପ୍ରାର୍ଥୀ

ଡେରାବିଶ : ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକରେ ରିଲିଫ ଟଙ୍କା ବଣ୍ଟା ଘଟଣାକୁ ନେଇ ବିବାଦରେ ଫସିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଡେରାବିଶ ବ୍ଲକ ବିଡିଓ ଏଭଳି ଘଟଣା ବେଆଇନ ବୋଲି କହିଛନ୍ତି। କିନ୍ତୁ ଟଙ୍କା ବଣ୍ଟା ସରିଥିବା ବେଳେ ପ୍ରାର୍ଥୀ ହିତାଧିକାରୀଙ୍କ ହାତରୁ ଟଙ୍କା ଆଣି ପୁଣି ସେମାନଙ୍କୁ ଟଙ୍କା ଧରାଇ ଫଟୋ ଉଠାଇଥିଲେ ବୋଲି ବିଡିଓ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁଯାୟୀ ଡେରାବିଶ ବ୍ଲକ୍ ଅନ୍ତର୍ଗତ ନହଙ୍ଗ ପ୍ରାଥମିକ କୃଷି ସମବାୟ ସମିତିର ଡିଲର ପଏଣ୍ଟରେ ଆଜି ବାତ୍ୟା ବିପନ୍ନଙ୍କୁ ସରକାରୀ ଘୋଷଣା ଅନୁଯାୟୀ ଚାଉଳ ଓ ୫ଶହ ଟଙ୍କା ବଣ୍ଟା ଯାଉଥିଲା। ସେହି ସମୟରେ ବ୍ଲକ ନୋଡାଲ ଅଫିସର ଓ ଅନ୍ୟ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ପାଟକୁରାର ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ନିଜର କେତେକ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥିଲେ। ଏ ସଂପର୍କରେ ବିଡିଓ ଗୋପବଂଧୁ ଭୋସାଗରଙ୍କୁ ଯୋଗାଯୋଗ କରିବାରୁ ‌ସେ କହିଥିଲେ ଯେ ଘଟଣା ସଂପର୍କରେ ଅବଗତ ଅଛନ୍ତି। ପ୍ରାର୍ଥୀ ଜଣକ ସେଠାରେ ପହଞ୍ଚିଲା ବେଳକୁ ଟଙ୍କା ବଣ୍ଟା ସରିଥିଲା। କିନ୍ତୁ ପ୍ରାର୍ଥୀ ସେଠାରେ ଥିବା ହିତାଧିକାରୀଙ୍କ ଠାରୁ ଟଙ୍କା ଆଣି ପୁଣି ସେମାନଙ୍କୁ ଟଙ୍କା ଧରାଇ ଫଟୋ ଉଠାଇଥିଲେ। କୌଣସି ପ୍ରାର୍ଥୀ ରିଲିଫ ବଣ୍ଟନ କେନ୍ଦ୍ରରେ ରିଲିଫ ବାଣ୍ଟିବା ସଂପୂର୍ଣ୍ଣ ବେଆଇନ ବୋଲି ବିଡିଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅନ୍ୟପଟେ ଶ୍ରୀମତୀ ଅଗ୍ରୱାଲଙ୍କୁ ଏ ସଂପର୍କରେ ପଚରା ଯାଇଥିଲେ ବି କୌଣସି ଉତ୍ତର ମିଳି ନଥିଲା। କିନ୍ତୁ ତାଙ୍କ ସହ ରହିଥିବା ସ୍ଥାନୀୟ ସରପଂଚଙ୍କ କହିବା ଅନୁଯାୟୀ ଶ୍ରୀମତୀ ଅଗ୍ରୱାଲଙ୍କର ଟଙ୍କା ବାଣ୍ଟିବାର କୌଣସି ଉଦ୍ଦେଶ୍ୟ ନଥିଲା। ସେ ସେଠାକୁ ଯାଇଥିବା ବେଳେ ଲୋକଙ୍କ ଅନୁରୋଧକ୍ରମେ ତାଙ୍କ ହାତରେ ଟଙ୍କା ଧରାଇ ଫଟୋ ଉଠାଇଥିଲେ।

ସୂଚନା ଯୋଗ୍ୟ ଯେ ସାଧାରଣ ନିର୍ବାଚନରେ ବିଧାୟକ ବେଦପ୍ରକାଶ ଅଗ୍ରୱାଲ ବିଜେଡିର ପ୍ରାର୍ଥୀ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ପ୍ରକ୍ରିୟା ସମୟରେ ତାଙ୍କର ପରଲୋକ ଘଟିଥିଲା। ଏଥିପାଇଁ ନିର୍ବାଚନ ସ୍ଥଗିତ ରହିବା ସହିତ ମେ’ ୧୯ ତାରିଖରେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଏଥିରେ ସ୍ବର୍ଗତ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ପାଟକୁରାରୁ ସାବିତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଭାବେ ବିଜୟ ମହାପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଭାବେ ଜୟନ୍ତ ମହାନ୍ତି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ ‘ଫନି’ ବାତ୍ୟାର ତାଣ୍ଡବଲୀଳା ପରେ ପାଟକୁରା ନିର୍ବାଚନକୁ ପୁଣି ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର