ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ପ୍ରଭାବିତ ଅଞ୍ଚଳରେ ୭ ଦିନ ରିଲିଫ୍‌

ଭୁବନେଶ୍ୱର, : ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ସାତ ଦିନ ରିଲିଫ୍‌ ଯୋଗାଇବା ନେଇ ସେ ଘୋଷଣା କରିଥିଲେ। ଏ ବାବଦରେ ପୌଢ଼ମାନଙ୍କୁ ଦୈନିକ ୬୦ ଟଙ୍କା ଓ ୧୨ ବର୍ଷରୁ କମ୍‌ ବୟସ ପିଲାମାନଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ୍‌ ପ୍ରଦାନ କରାଯିବ। ସେହିପରି ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପ୍ରାଣୀମାନଙ୍କୁ ମାଗଣା ଚିକିତ୍ସା ସହ ଟୀକାକରଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସମୀକ୍ଷାରୁ ଜଣାପଡ଼ିଛି ଯେ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୭ଟି ବ୍ଲକ୍‌, ୪ଟି ପୌରପାଳିକା ଓ ୯୦୩ଟି ଗାଁର ସାଢ଼େ ସାତ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୫୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୪୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ଗୃହପାଳିତ ପଶୁମାନଙ୍କୁ ମଧ୍ୟ ୯୦ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ଜଳସମ୍ପଦ ଓ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗର ସଚିବ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର